ବିରାଟ-ପଡିକାଲଙ୍କ ବିସ୍ଫୋରକ ବ୍ୟାଟିଂ, ହାରିଲା ଗୁଜରାଟ

ବେଙ୍ଗାଲୁରୁ, ୨୪।୪- ଗୁଜରାଟ ଟାଇଟନ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ନିକଟରୁ ୫ ଉଇକେଟରେ ପରାଜିତ ହୋଇଛି। ଗୁଜରାଟ ୨୦ ଓଭରରେ ୩ ଉଇକେଟ ହରାଇ ୨୦୫ ରନ କରିଥିଲା। ଜବାବରେ ଆର୍‌ସିବି ବିରାଟ କୋହଲିଙ୍କ ଦମ୍‌ଦାର ବ୍ୟାଟିଂ ବଳରେ ୧୮.୫ ଓଭରରେ ୫ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।

ଖାତା ଖୋଲିବା ପୂର୍ବରୁ ଜୀବନଦାନ ପାଇଥିବା କୋହଲି ପରେ ଗୁଜରାଟ ବୋଲରଙ୍କ ପାଇଁ ଦୁଃସ୍ବପ୍ନ ପାଲଟିଥିଲେ। ଜ୍ୟାକବ ବେଥେଲ ଯଦିଓ ୧୪ ରନକରି ଆଉଟ ହୋଇଥିଲେ ତେବେ ବିରାଟ ଓ ଦେବଦତ୍ତ ପଡିକାଲ ଦ୍ୱିତୀୟ ଉଇକେଟରେ ୫୯ ବଲ୍‌ରୁ ୧୧୫ ରନ ଯୋଗକରି ଦଳର ବିଜୟ ପଥ ପ୍ରସ୍ତୁତ କରିଥିଲେ। ପଡିକାଲ ୨୭ ବଲ୍‌ରୁ ୫୫ (୨ ଚୌକା, ୬ ଛକା) ଓ କୋହଲି ୪୪ ବଲ୍‌ରୁ ୮ ଚୌକା ଓ ୪ ଛକା ସହାୟତାରେ ୮୧ ରନ ସଂଗ୍ରହ କରି ମ୍ୟାଚ ବିଜେତା ସାଜିଥିଲେ। କୃନାଲ ପାଣ୍ଡ୍ୟା ୨୩ ଓ ଟିମ୍‌ ଡେଭିଡ ୧୦ ରନରେ ଅପରାଜିତ ରହି ୧୮.୫ ଓଭରରେ ମ୍ୟାଚ ଶେଷ କରିଥିଲେ।

ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଗୁଜରାଟ ପକ୍ଷରୁ ସୁଦର୍ଶନ ଓ ଅଧିନାୟକ ଶୁବମନ ଗିଲ୍‌ ଓପନିଂ ଯୋଡ଼ିରେ ୭୬ ବଲ୍‌ରୁ ୧୨୮ ରନର ଭାଗୀଦାରି ଗଢ଼ି ଦଳ ପାଇଁ ବଡ଼ ସ୍କୋରର ପଥ ପ୍ରସ୍ତୁତ କରିଥିଲେ। ୧୩ତମ ଓଭରର ୪ର୍ଥ ବଲ୍‌ରେ ଗିଲ୍‌ (୩୨ ରନ)ଙ୍କୁ ଆଉଟ କରି ଯୋଡ଼ି ଭାଙ୍ଗିଥିଲେ ଆରସିବି ସ୍ପିନର ସୂୟାସ ଶର୍ମା। ଏହାପରେ ରନହାର ଧିମେଇ ଯିବାରୁ ଗୁଜରାଟ ସ୍କୋର ୨୦୫ରେ ସୀମିତ ରହିଥିଲା। ସୁଦର୍ଶନ ଚମତ୍କାର ବ୍ୟାଟିଂ କରି ୫୮ ବଲ୍‌ରୁ ୧୧ ଚୌକା ଓ ୫ ଛକା ସହାୟତାରେ ୧୦୦ ରନ ସ୍କୋର କରିଥିଲେ।