ବଲାଙ୍ଗୀରରେ ତେଜୁଛି ରୋପ୍‌ଓ୍ବେ ଆନ୍ଦୋଳନ

ବଲାଙ୍ଗୀର ଅଫିସ,୧୮।୧୦: ବଲାଙ୍ଗୀର ଜିଲାରେ ବଢ଼ିବାରେ ଲାଗିଛି ରୋପ୍‌ୱେ ଟେନ୍‌ସନ। ହରିଶଙ୍କରରୁ ନୃସିଂହନାଥ ପ୍ରସ୍ତାବିତ ରୋପ୍‌ୱେ ଯୋଜନା ବାତିଲ ହେବା ଜଣାପଡ଼ିବା ପରେ ସପ୍ତାହେ ହେଲା ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଉଛି । ଗତ ୧୦ ତାରିଖରେ କୋଶସଲ ରାଜ୍ୟ ମୁକ୍ତିମୋର୍ଚ୍ଚା ଦ୍ୱାରା ହରିଶଙ୍କରଠାରେ ଜଳ ସତ୍ୟାଗ୍ରହ କରାଯାଇଥିଲା। ଏପରି କି ସୋମବାର ଖପ୍ରାଖୋଲ ବନ୍ଦ ଡାକରା ଦେଇଥିଲା କୋଶଲ ସଂଗ୍ରାମୀ ବାହିନୀ। ମଙ୍ଗଳବାର ଆନ୍ଦୋଳନ ବଳାଙ୍ଗୀର ସହରରେ ହେଉଛି । କୋଶଲ ରାଜ୍ୟ ସମନ୍ବୟ ସମିତି ସମର୍ଥନରେ ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଧାରଣା ଦିଆଯାଇଛି। ଏଥିରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା ସାମିଲ ହୋଇ ଦିନକୁ ଦିନ ଆନ୍ଦୋଳନ ତେଜିବାରେ ଲାଗିଛି। ଏପରିକି ପାଟଣାଗଡ଼ରୁ ଆନ୍ଦୋଳନକାରୀ ବାଇକ୍‌ ଶୋଭାଯାତ୍ରାରେ ଆସି ଧାରଣାରେ ସାମିଲ ହୋଇଛନ୍ତି। ପ୍ରସ୍ତାବିତ ରୋପ୍‌ୱେ ଯୋଜନା କାର୍ଯ୍ୟକାରୀ ନ ହେଲେ ଆଗକୁ ଆନ୍ଦୋଳକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି।