ବିସ୍ଫୋରଣରେ ଭୁଶୁଡ଼ିଲା ଛାତ: ନିଆଁ ଲାଗି ଜଣେ ଗୁରୁତର

ଚାନ୍ଦବାଲି,୨୭।୧୧(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ଦକ୍ଷିଣସାହି ଗ୍ରାମରେ ରବିବାର ଅପରାହ୍ନରେ ଏକ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ଏତେ ଶକ୍ତିଶାଳୀ ଥିଲା ଯେ, ଘର ଛାତ ଭୁଶୁଡି ପଡିଥିବା ଜଣାପଡିଛି। ଏଥିରେ ବିଷ୍ଣୁମୋହନ ସାହୁ(୪୫) ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ତାଙ୍କ ଶରୀରର ଅନେକ ଅଂଶ ପୋଡି ଯାଇଥିବା ବେଳେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ କଟକର ଏକ ଘରୋଇ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି।

ଗ୍ୟାସ ଚୁଲାରୁ ଏହି ଅଗ୍ନିକାଣ୍ଡ ଘଟିବା କଥା କୁହାଯାଇଥିବା ବେଳେ ଘରେ ଥିବା ବାଣରୁ ଏଭଳି ଘଟଣା ଘଟିଥିବା ଆଲୋଚନା ହେଉଛି। ବିସ୍ଫୋରଣ ପରେ ଘରେ ନିଆଁ ଲାଗିଯାଇଥିଲା। ଘରେ ଲାଗିଥିବା ଇନ୍‌ଭର୍ଟର ବ୍ୟାଟେରୀ ସମେତ ସମସ୍ତ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି। ଖବର ପାଇ ଚାନ୍ଦବାଲିରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଅନ୍ୟପକ୍ଷେ ଅଗ୍ନିକାଣ୍ଡ ସମୟରେ ଏକ ପ୍ରଚଣ୍ଡ ଶବ୍ଦ ହେବାରୁ ସ୍ଥାନୀୟ ଲୋକ ଭୟଭୀତ ହୋଇ ପାଖକୁ ଯାଇ ନ ଥିଲେ। ଏପରି କି ଘରକୁ ଲାଗିଥିବା ନଡା ଛପର ରୋଷେଇ ଘରୁ ନିଆଁ ଉଠି ଶୋଇବା ଘରକୁ ବ୍ୟାପି ଯାଇଥିଲା। ଘରେ ଶୋଇଥିବା ବିଷ୍ଣୁମୋହନ ବାହାରକୁ ଆସି ପାରି ନ ଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ସ୍ତ୍ରୀ ମଞ୍ଜୁଲତା ମଧ୍ୟ ଆହତ ହୋଇଛନ୍ତି । ଖବର ପାଇ ଚାନ୍ଦବାଲି ଥାନା ଅଧିକାରୀ କରୁଣାକର ରାଉତ, ଫାଣ୍ଡି ଅଧିକାରୀ ବୁଦ୍ଧିରାମ ମହାନ୍ତି, ତହସିଲଦାର ସୁଶାନ୍ତ ସୂତାର, ଅତିରିକ୍ତ ତହସିଲଦାର ପ୍ରଶାନ୍ତ ମହାରଣା ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି।