ସୁପରଷ୍ଟାର ଆମିର ଖାନ୍‌ଙ୍କ ବଡିଗାର୍ଡ ଥିଲେ ଏହି ଲୋକପ୍ରିୟ ଅଭିନେତା: ଏଭଳି ବଦଳିଥିଲା ଜୀବନ

ବମ୍ବେ: ରୋନିତ ରୟ ଟେଲି ପରଦାର ଚର୍ଚ୍ଚିତ ଅଭିନେତାଙ୍କ ମଧ୍ୟରୁ ଜଣେ। ଧାରାବାହିକ ହେଉ ଅବା ଟେଲି ସିରିଜ, ଫିଲ୍ମ ସବୁଥିରେ ତାଙ୍କ ଆଧିପତ୍ୟ ଦେଖିବାକୁ ମିଳିଥାଏ। ଆଜି ସଫଳତାର ଶୀର୍ଷରେ ପହଞ୍ଚିଥିବା ରୋନିତ ଏକଦା ଜଣେ ସୁପରଷ୍ଟାରଙ୍କ ବଡିଗାର୍ଡ ଥିଲେ। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ।

ରୋନିତ ଅଭିନେତା ଆମିର ଖାନ୍‌ଙ୍କ ବଡିଗାର୍ଡ ଥିଲେ। ଦୁଇବର୍ଷ ଧରି ସେ ଆମିରଙ୍କ ପାଖେପାଖେ ରହିଥିଲେ। ସେଠାରୁ ସେ କଳାକାର ପାଇଁ କାମ ପ୍ରତି ନିଷ୍ଠା ଏବଂ ପରିଶ୍ରମ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଜାଣିଥିଲେ। ପ୍ରତ୍ୟେକ୍ଷରେ ନହେଲେ ବି ପରୋକ୍ଷରେ ଆମିର ତାଙ୍କୁ ସାହାଯ୍ୟ କରିଥିଲେ।

ପ୍ରଥମରୁ କଳାକାରଟିଏ ହେବାକୁ ଆଶା ରଖିଥିଲେ ରୋନିତ। ବଡ ଗାଡ଼ି, ବଙ୍ଗଳା, ପ୍ରଶଂସକ ଆଦି ପ୍ରତି ତାଙ୍କର ଅହେତୁକ ଆକର୍ଷଣ ସୃଷ୍ଟି ହୋଇଥିଲା। ସେ ନିଜର କଳାକୁ ପ୍ରମାଣ କରିବାକୁ ଚାହୁଁଥିଲେ। ହେଲେ ପ୍ରଥମେ ତାଙ୍କୁ ସୁଯୋଗ ମିଳି ପାରି ନ ଥିଲା। କାମ କରିବାକୁ ଚାହୁଁଥିବା ବେଳେ ଆମିରଙ୍କ ବଡିଗାର୍ଡ ହେବା ଦାୟିତ୍ୱ ତାଙ୍କୁ ମିଳିଥିଲା। ଦୀର୍ଘଦିନ ପରେ ରୋନିତ ଏକତା କପୁରଙ୍କ ଶୋ’ରେ ଅଭିନୟ କରିଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ ସୋପାନ ଚଢ଼ି ସେ ନିଜକୁ ସ୍ବତନ୍ତ୍ର ସ୍ଥାନରେ ପହଞ୍ଚାଇପାରିଛନ୍ତି। ଏକାଧିକ ଫିଲ୍ମରେ ମଧ୍ୟ ସେ କାମ କରିସାରିଛନ୍ତି। ନିକଟରେ ରୋନିତ ଫିଲ୍ମ ‘ଉଡାନ’ରେ ନଜର ଆସିଥିଲେ।

Share