ଆର୍ଲିଂଟନ,୭ା୭:ଇଞ୍ଜୁରି ଟାଇମ୍ରେ ମିକେଲ ମେରିନୋଙ୍କ ଗୋଲ ବଳରେ ସୋମବାର ରାତିରେ ଅନୁଷ୍ଠିତ ଚଳିତ ବିଶ୍ୱକପ୍ର ଏକ ପ୍ରି-କ୍ୱାର୍ଟର ଫାଇନାଲରେ ସ୍ପେନ ୧-୦ ଗୋଲରେ ପର୍ତ୍ତୁଗାଲକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ୨୦୧୦ ପରେ ପୂର୍ବତନ ଚାମ୍ପିୟନ ସ୍ପେନ ପ୍ରଥମ ଥର ପାଇଁ କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଛି। ଅନ୍ୟପକ୍ଷରେ ଏହି ପରାଜୟ ସହ ମହାନ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ବିଶ୍ୱକପ୍ ସ୍ବପ୍ନ ଶେଷ ହୋଇଛି। ସ୍ପେନ ଆସନ୍ତା ଶନିବାର ତା’ର କ୍ୱାର୍ଟର ଫାଇନାଲ ମ୍ୟାଚ୍ ଇଙ୍ଗଲେଉଡ୍ଠାରେ ଖେଳିବ। ହେଲେ କାହାକୁ ଭେଟିବ, ତାହା ମଙ୍ଗଳବାର ଆମେରିକା ଓ ବେଲଜିୟମ୍ ମଧ୍ୟରେ ଖେଳାଯିବାକୁ ଥିବା ପ୍ରି-କ୍ୱାର୍ଟର ମ୍ୟାଚ୍ର ଫଳାଫଳ ଉପରେ ନିର୍ଭର କରେ।
ପ୍ରାୟ ୮୦ ହଜାର ଦର୍ଶକରେ ପରିପୂର୍ଣ୍ଣ ଡଲାସ ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚ୍ର ପ୍ରଥମାର୍ଦ୍ଧ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ରହିଥିଲା। ଉଭୟ ଦଳକୁ କିଛି ସୁବର୍ଣ୍ଣ ସୁଯୋଗ ମିଳିଥିଲା। ଦୁଇ ଦଳର ଗୋଲକିପର ଡିଓଗୋ କୋଷ୍ଟା ଓ ଉନାଇ ସିମନ ପ୍ରତ୍ୟେକ ଶଟ୍ ସେଭ କରିଥିଲେ। ପର୍ତ୍ତୁଗାଲ ପାଇଁ କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ନୁନୋ ମେଣ୍ଡେସ ସୁଯୋଗ ହାତଛଡ଼ା କରିଥିବା ବେଳେ ସ୍ପେନ ପକ୍ଷରୁ ମିକେଲ ଓୟାର୍ଜାବଲ ସୁବର୍ଣ୍ଣ ସୁଯୋଗର ଫାଇଦା ଉଠାଇବାରେ ବିଫଳ ହୋଇଥିଲେ। ଦ୍ୱିତୀୟାର୍ଦ୍ଧର ୯୦ ମିନିଟ୍ ପର୍ଯ୍ୟନ୍ତ ମ୍ୟାଚ୍ ଗୋଲ ଶୂନ୍ୟ ରହିଥିଲା। ଇଞ୍ଜୁରି ଟାଇମ୍ରେ ଫେରାନ ଟୋରେସଙ୍କଠାରୁ ପାଇଥିବା ପାସ୍କୁ ମିକେଲ ମେରିନୋ (୯୦+୧) ଗୋଲରେ ପରିଣତ କରିଥିଲେ। ସ୍କୋର ବରାବର କରିବା ପାଇଁ ଅନ୍ତିମ ମିନିଟ୍ରେ ପର୍ତ୍ତୁଗାଲକୁ ଏକ ସୁଯୋଗ ମିଳିଥିଲା। ହେଲେ ଜୋଆଓ ନେଭେସଙ୍କ ହେଡର ଗୋଲ ପୋଷ୍ଟ ବାହାରକୁ ଚାଲି ଯାଇଥିଲା।