Categories: ଖେଳ

ରୋନାଲ୍ଡୋ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ

ରିୟାଧ,୧ା୩(ପି.ଟି.):ଫ୍ୟାନ୍‌ଙ୍କ ଉଦ୍ଦେଶ୍ୟରେ ଆପତ୍ତିଜନକ ଭଙ୍ଗୀ ପ୍ରଦର୍ଶନ କରିବା କାରଣରୁ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ କରାଯାଇଛି। ସାଉଦି ଆରବ ଲିଗ୍‌ର ଏକ ମ୍ୟାଚ୍‌ ସମୟରେ ଅଲ୍‌ ନାସର ଖେଳାଳି ରୋନାଲ୍ଡୋ ଦର୍ଶକ ଗ୍ୟାଲେରିରେ ଥିବା ଅଲ ଶବାବ ଫ୍ୟାନ୍‌ଙ୍କୁ ଏଭଳି ଇଙ୍ଗିତ କରିଥିଲେ। ରବିବାର ରିୟାଧରେ ଖେଳାଯାଇଥିବା ମ୍ୟାଚ୍‌ରେ ଅଲ ଶବାବକୁ ୩-୨ରେ ପରାସ୍ତ କରିବା ପରେ ସେ ଏଭଳି ପ୍ରତିକ୍ରିୟାଶୀଳ ହୋଇଥିଲେ। ମ୍ୟାଚ୍‌ ପରର ଏକ ଭିଡିଓ ଫୁଟେଜ୍‌ ଭାଇରାଲ ହୋଇଥିଲା। ଯେଉଁଥିରେ ପ୍ରଶଂସକମାନେ ମେସି ମେସି ଚିତ୍କାର କରୁଥିଲେ। ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସିଙ୍କୁ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରାଯାଉଥିବା ବେଳେ ଏଥିରେ ଉତ୍‌କ୍ଷିପ୍ତ ହୋଇ ପଡିଥିଲେ ରୋନାଲ୍ଡୋ। ମ୍ୟାଚ୍‌ ଜିତିବା ପରେ କାନ ବନ୍ଦ କରିବା ସହ ନିଜ ଜଙ୍ଘ ଆଡକୁ ଇସାରା କରିଥିଲେ। ଏହାକୁ ନେଇ ଅଭିଯୋଗ ହେବା ପରେ ସାଉଦି ଆରବ ଫୁଟବଲ ଫେଡେରେଶନ(ସାଫ୍‌) ଶୃଙ୍ଖଳାଗତ କମିଟି ଏହାର ବିଚାର କରିଥିଲା। କମିଟି ତାଙ୍କୁ ଗୋଟିଏ ମ୍ୟାଚରୁ ବାସନ୍ଦ କରିବା ସହ ୨୦ ହଜାର ସାଉଦି ରିୟାଲ(୫୩୩୩ ଡଲାର) ଅର୍ଥଦଣ୍ଡ ଘୋଷଣା କରିଥିଲା। ଏହି ଅର୍ଥରାଶି ଅଲ୍‌ ଶବାବ କ୍ଲବକୁ ପ୍ରଦାନ କରାଯିବ। ଏହା ସହ ଅଲ୍‌ ହାଜମ ବିପକ୍ଷରେ ଖେଳାଯିବାକୁ ଥିବା ପରବର୍ତ୍ତୀ ମ୍ୟାଚ୍‌ରୁ ବାଦ୍‌ପଡିବେ ରୋନାଲ୍ଡୋ। ଏହି ନିଷ୍ପତ୍ତିକୁ ସେ ଚ୍ୟାଲେଞ୍ଜ କରିପାରିବେ ନାହିଁ ବୋଲି ସାଫ୍‌ ଶୃଙ୍ଖଳାଗତ କମିଟି ନିଷ୍ପତ୍ତି ନେଇଛି। ସାଉଦି ମିଡିଆ ରିପୋର୍ଟ ଅନୁଯାୟୀ ୟୁରୋପରେ ଏଭଳି ସେଲିବ୍ରେଶନ ଅତି ସାଧାରଣ ବୋଲି କହିଛନ୍ତି ରୋନାଲ୍ଡୋ। ପୂର୍ବରୁ ମଧ୍ୟ ଫ୍ୟାନ୍‌ମାନଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଡିସେମ୍ବର ୨୦୨୨ରେ ଅଲ ନାସରରେ ଯୋଗ ଦେଇଥିବା ରୋନାଲ୍ଡୋ ଦଳ ପକ୍ଷରୁ ସର୍ବାଧିକ ୨୨ ଗୋଲ ସ୍କୋର କରିଛନ୍ତି। ପ୍ରଥମ ଥର ପାଇଁ ଅଲ ନାସର ଏସିଆନ୍‌ ଚାମ୍ପିୟନ୍ସ ଲିଗ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି।

Share