ପୁଣି ଏନ୍ତୁଡ଼ିଶାଳକୁ ଫେରିଲା କରୋନା, ସତର୍କ ସୂଚନା ଜାରି…

ବେଜିଂ,୭।୩ : କରୋନା ପୁଣି ଥରେ ଏହାର ଏନ୍ତୁଡ଼ିଶାଳ ଚାଇନାକୁ ଫେରିଛି। ଚାଇନାର ଗଣମାଧ୍ୟମ ଅନୁଯାୟୀ, ମହାମାରୀର ଆରମ୍ଭ ଉହାନରେ ହୋଇଥିଲା। ତେବେ ସମ୍ପ୍ରତି ଦେଶରେ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ମାମଲା ରିପୋର୍ଟ ହୋଇଛି। ଚାଇନାରେ ସମ୍ପ୍ରତି ଗୋଟିଏ ଦିନରେ ୫୨୬ଟି ମାମଲା ଚିହ୍ନଟ ହୋଇଛଇ। ଗତ ଦୁଇ ବର୍ଷ ମଧ୍ୟରେ ଗୋଟିଏ ଦିନରେ ଏହା ସର୍ବାଧିକ ସଂକ୍ରମଣ।

ସେଥିମଧ୍ୟରୁ ୨୧୪ ଆକ୍ରାନ୍ତଙ୍କ ଠାରେ ଲକ୍ଷଣ ପ୍ରକାଶ ପାଇଥିବାବେଳେ ୩୧୨ ଜଣଙ୍କଠାରେ କୌଣସି ଲକ୍ଷଣ ପ୍ରକାଶ ପାଇ ନାହିଁ ବୋଲି ଚାଇନା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସର୍ବାଧିକ ସଂଖ୍ୟକ କରୋନା ମାମଲା ରିପୋର୍ଟ ହେବା ପରେ ଚାଇନା ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଏହି ଖବର ପ୍ରକାଶ ପାଇବା ପରେ ଚାଇନା ସହିତ ଯୋଗାଯୋଗରେ ଥିବା ଅନ୍ୟ ଦେଶମାନେ ମଧ୍ୟ ସତର୍କ ହୋଇ ନିଜ ନିଜ ନାଗରିକମାନଙ୍କୁ କରୋନା ନିୟମ ପାଳନ କରିବାକୁ କହିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚାଇନାର କିଙ୍ଗ୍‌ଡାଓ ସହରରେ ଓମିକ୍ରନର ୮୮ଟି ନୂଆ ମାମଲା ଚିହ୍ନଟ ହୋଇଛି। ଯେଉଁମାନେ ଓମିକ୍ରୋନରେ ଆକ୍ରାନ୍ତ ହୋଇଛନ୍ତି ସେମାନେ ସମସ୍ତେ ଛାତ୍ର ବୋଲି କୁହାଯାଉଛି। ଚଳିତ ବର୍ଷ ଏହା ଚାଇନାରେ ଗୋଟିଏ ଦିନରେ ସର୍ବାଧିକ ସଂକ୍ରମଣ।

ସୂଚନା ଯୋଗ୍ୟ , ବିଶ୍ୱବ୍ୟାପୀ କରୋନା ସଂକ୍ରମଣ ମାମଲା ୪୪.୬୬ କୋଟି ଅତିକ୍ରମ କରିଛି। ଏଥିସହ ମୃତ୍ୟୁ ସଂଖ୍ୟା ୬୦ ଲକ୍ଷରେ ପହଞ୍ଚିଛି। ଗତ ଏକ ମାସ ମଧ୍ୟରେ ବିଶ୍ୱରେ ୫.୨୨ କୋଟିରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨.୬୧ ଲକ୍ଷ ଲୋକଙ୍କର ଏଥିରେ ମୃତ୍ୟୁ ଘଟିଛି।

Share