ଭଞ୍ଜନଗର, ୨୮।୧୧ (ବାବୁଲା ପ୍ରଧାନ): ଦେଶର ସ୍ୱାଧୀନତା ସଂଗ୍ରାମରେ ଆଦିବାସୀମାନଙ୍କ ଭୂମିକା ଓ ଅବଦାନ ଅତୁଳନୀୟ। ବ୍ରିଟିଶ ଶାସନ ବିରୋଧରେ ଆଦିବାସୀମାନେ ଯେଉଁ ସାହସ, ବୀରତ୍ୱ ଓ ତ୍ୟାଗର ପରିଚୟ ଦେଇଥିଲେ, ତାହା ଇତିହାସରେ ଚିରସ୍ମରଣୀୟ ହୋଇ ରହିବ। ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କ ଅବଦାନକୁ ଉପଯୁକ୍ତ ସମ୍ମାନ ଓ ସ୍ୱୀକୃତି ଦେବା ସହ ଅନାଲୋଚିତ ଇତିହାସକୁ ଲୋକଲୋଚନକୁ ଆଣିବା ଆବଶ୍ୟକ। ଆଜି ଦେଶ ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଏବଂ ଓଡ଼ିଶା ଜଣେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପାଇଛି, ଯାହା ଆଦିବାସୀ ସମାଜର ନେତୃତ୍ୱ ଓ ଅଗ୍ରଗତିର ପ୍ରତୀକ ବୋଲି ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମତବ୍ୟକ୍ତ କରିଛନ୍ତି।
ଶନିବାର ଦିନ ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (କେ.ଏସ୍.ୟୁ.ବି.) ମହାବିଦ୍ୟାଳୟ ପରିସରରେ ଆୟୋଜିତ ଦୁଇଦିନିଆ ଜାତୀୟ ସେମିନାରକୁ ଉଦ୍ଘାଟନ କରି ବିଧାୟକ ନାୟକ ଏହା କହିଛନ୍ତି। ଘୁମୁସର ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ଭାରତୀୟ ଐତିହାସିକ ଗବେଷଣା ପରିଷଦ (ICHR)ର ଆର୍ଥିକ ସହଯୋଗରେ ଏହି ସେମିନାର ଆୟୋଜିତ ହୋଇଛି। ଓଡ଼ିଶାର ଅନାଲୋଚିତ ଔପନିବେଶିକ ବିରୋଧୀ ଆଦିବାସୀ ଆନ୍ଦୋଳନ, ବିଶେଷକରି କନ୍ଧ ବିଦ୍ରୋହ ଏହି ସେମିନାରର ମୁଖ୍ୟ ବିଷୟବସ୍ତୁ ରହିଛି।
ଘୁମୁସର ଗବେଷଣା ପ୍ରତିଷ୍ଠାନର ସଭାପତି ତଥା ପୂର୍ବତନ ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ଆପଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ଦିନର ଉଦ୍ଘାଟନୀ ଅଧିବେଶନରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଉଦ୍ଘାଟକ ଭାବେ ଯୋଗଦେଇଥିଲେ। ଏହି ଅବସରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗର ପୂର୍ବତନ ପ୍ରଫେସର ଡ. ରାମଚନ୍ଦ୍ର ମିଶ୍ର ମୁଖ୍ୟଅତିଥି ଏବଂ ପୁଣେସ୍ଥିତ ଏନ୍ଡିଏର ପୂର୍ବତନ ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଓ ICHR ସଦସ୍ୟ ଡ. ହରିହର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଏଥିସହ ବାଲିଗୁଡ଼ାର ପୂର୍ବତନ ଅଧ୍ୟକ୍ଷ ଡ. ମଧୁସୂଦନ ମହାପାତ୍ର, କୋରାପୁଟସ୍ଥିତ କେନ୍ଦ୍ରୀୟ ଜନଜାତି ଗବେଷଣା ସଂସ୍ଥା (କୋଟ୍ସ)ର ସମ୍ମାନଜନକ ପ୍ରଫେସର ଡ. ମାଗୁଣି ଚରଣ ବେହେରା ଏବଂ କେ.ଏସ୍.ୟୁ.ବି. ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଗଗନ ବିହାରୀ ପୁରୋହିତ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।
ସେହିପରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗର ସହକାରୀ ପ୍ରଫେସର ଡ. ରମାକାନ୍ତ ଭୂୟାଁଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ଶଙ୍କର୍ଷଣ ମଲ୍ଲିକ, ଓଡ଼ିଶା ଇତିହାସ କଂଗ୍ରେସର ଉପସଭାପତି ସୁଶାନ୍ତ ଦାସ, ଭୁବନେଶ୍ୱର ବିଜେବି କଲେଜର ସହକାରୀ ପ୍ରଫେସର ଡ. ଅନିତା ପାଢ଼ୀ ଏବଂ ଟିକାବାଲି କଲେଜର ପ୍ରଫେସର ଡ. ବିଷ୍ଣୁ ପ୍ରସାଦ ରଥ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ନଭେମ୍ବର ୨୮ ଓ ୨୯ ତାରିଖ ଦୁଇଦିନ ଧରି ଚାଲିଥିବା ଏହି ଜାତୀୟ ସେମିନାରରେ ବିଭିନ୍ନ ଅଞ୍ଚଳରୁ ଗବେଷକ, ଇତିହାସବିତ୍, ଅଧ୍ୟାପକ ଓ ଶିକ୍ଷାବିତ୍ମାନେ ଯୋଗଦେଇ ଓଡ଼ିଶାର ଆଦିବାସୀ ସଂଗ୍ରାମର ଅନାଲୋଚିତ ଦିଗ ଉପରେ ଗବେଷଣାମୂଳକ ଆଲୋଚନା କରୁଛନ୍ତି। ଏହାଦ୍ୱାରା ଆଦିବାସୀ ବୀରମାନଙ୍କ ଐତିହାସିକ ଅବଦାନ ଓ ସଂଗ୍ରାମର ଗାଥା ନୂତନ ପିଢ଼ିଙ୍କ ନିକଟରେ ପହଞ୍ଚିବା ସହ ଇତିହାସର ଅନାଲୋଚିତ ଅଧ୍ୟାୟ ଉନ୍ମୋଚିତ ହେବ ବୋଲି ଆଶା ପ୍ରକାଶ ପାଇଛି। ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ତପନ କୁମାର ମିଶ୍ର ଓ ସେମିନାର ସଂଯୋଜକ ଡ. ଶ୍ୟାମ ପ୍ରସାଦ ମିଶ୍ରଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଡ. ଦାମୋଦର ଷଡ଼ଙ୍ଗୀ, ଡ. ଶିରୀଶ କୁମାର ଷଡ଼ଙ୍ଗୀ, ଲୋକନାଥ ମହାନ୍ତି, ସନ୍ତୋଷ ଜେନା, ଜଗବନ୍ଧୁ ଜେନା, ବାବୁଲା ପ୍ରଧାନ, ଡ. ରବିନ୍ଦ୍ର କୁମାର ମିଶ୍ର, ଅଶୋକ ସ୍ୱାଇଁ ଏବଂ ନେତାଜୀ ବିଷୋୟୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।