ଦୁବାଇ, ୮।୩: ଚଳିତ ଆଇସିସି ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ରବିବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। ଫଳରେ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଏକ ବିରଳ ରେକର୍ଡର ଅଧିକାରୀ ହେବେ। ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ ସାଣ୍ଟନରଙ୍କ ସହ ଟସ୍ ପକାଇବା ସହିତ ରୋହିତ ପ୍ରଥମ ଅଧିନାୟକଭାବେ ସମସ୍ତ ଆଇସିସି ଟୁର୍ନାମେଣ୍ଟର ଫାଇନାଲରେ ନିଜ ଦଳର ନେତୃତ୍ୱ ନେବାର ସୌଭାଗ୍ୟ ଅର୍ଜନ କରିବେ। ତାଙ୍କ ନେତୃତ୍ୱରେ ଭାରତ ୨୦୨୩ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଏବଂ ଦିନିକିଆ କ୍ରିକେଟ ବିଶ୍ୱକପର ଫାଇନାଲ ଖେଳିଥିଲା। ସେହିପରି ୨୦୨୪ ଟି୨୦ ବିଶ୍ୱକପ ଜିତିଥିବାବେଳେ ଏବେ ୨୦୨୫ ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ଖେଳିବ। ଚାମ୍ପିୟନ୍ସ ଟ୍ରଫିରେ ଭାରତ-ନ୍ୟୁଜିଲାଣ୍ଡ ବିଜୟ/ପରାଜୟ ରେକର୍ଡ ୧-୧ ରହିଛି। ୨୦୦୦ ଫାଇନାଲରେ ଭାରତକୁ ନ୍ୟୁଜିଲାଣ୍ଡ ହରାଇଥିବା ବେଳେ ଚଳିତ ସଂସ୍କରଣର ଲିଗ୍ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି ଭାରତ। ତେଣୁ ଭାରତ ଫାଇନାଲରେ ମନସ୍ତାତ୍ତ୍ୱିକ ଫାଇଦାରେ ରହିବ ବୋଲି କ୍ରିକେଟ ବିଶେଷଜ୍ଞମାନେ ଅନୁଭବ କରୁଛନ୍ତି।


