Categories: ଖେଳ

ଯାହା କୋହଲି କରିପାରି ନ ଥିଲେ, ତାହା କରି ଦେଖାଇଲେ ରୋହିତ ଶର୍ମା

କୋଲକତା,୨୦।୨: ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ୩-୦ରେ ଜିତିଛି। ସିରିଜର ତୃତୀୟ ତଥା ଅନ୍ତିମ ଟି -୨୦ ମ୍ୟାଚରେ ଭାରତ ଭ୍ରମଣକାରୀ ୱେଷ୍ଟଇଣ୍ଡିଜକୁ ୧୯ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ ଇଣ୍ଡିଆ ଆଇସିସି ଟି -୨୦ ର଼୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ଅଧିକାର କରିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଥିବା ଭାରତୀୟ ଦଳ ଗତ ୬ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏହି ସଫଳତା ହାସଲ କରିବାରେ ସଫଳ ହୋଇଛି। ଫଳରେ ବିରାଟ କୋହଲି ତାଙ୍କ ଅଧିନାୟକତ୍ୱରେ ଯାହା କରିପାରି ନ ଥିଲେ, ରୋହିତ ତାହା କରିଦେଖାଇଛନ୍ତି। ଏହାପୂର୍ବରୁ ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଏକ ନମ୍ବର ମାନ୍ୟତା ହାସଲ କରିବାରେ ସଫଳ ହୋଇଥିଲା। ଟିମ ଇଣ୍ଡିଆକୁ ଶୀର୍ଷ ସ୍ଥାନକୁ ନେଇଥିବା ରୋହିତ ଦ୍ୱିତୀୟ ଭାରତୀୟ ଅଧିନାୟକ ହୋଇଛନ୍ତି।
ଓ୍ବେଷ୍ଟଇଣ୍ଡଜ୍‌ ବିପକ୍ଷରେ କ୍ଲିନ୍‌ସ୍ବିପ୍‌ କରିବାପରେ ଟିମ ଇଣ୍ଡିଆ ର଼୍ୟାଙ୍କିଙ୍ଗରେ ୨୭୦ ପଏଣ୍ଟ ପାଇଛି। ୩୯ଟି ମ୍ୟାଚରୁ ୨୬୯ ପଏଣ୍ଟ ସହ ଇଂଲଣ୍ଡ ଦଳ ଶୀର୍ଷରେ ଥିଲା। ଶେଷ ଥର ପାଇଁ ଭାରତୀୟ ଦଳ ଶୀର୍ଷରେ ଥିବାବେଳେ ମେହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ମେ ୩, ୨୦୧୬ରେ ରହିଥିଲେ। ଫେବୃଆରୀ ୧୨ରୁ ମେ ୩ପର୍ଯ୍ୟନ୍ତ ଟିମ ଇଣ୍ଡିଆ ଏହି ସ୍ଥାନରେ ରହିଥିଲା।

Share