Categories: ଖେଳ

ସତ ହେଲା ରୋହିତ ଶର୍ମାଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ରେ ଶତକ ହାସଲ କରିଛନ୍ତି ସୂର୍ଯ୍ୟକୁମାର ଯାଦବ। ମାଉଣ୍ଟ ମାଙ୍ଗାନୁଇରେ ଖେଳାଯାଇଥିବା ମ୍ୟାଚରେ ସେ ୫୧ ବଲରେ ୧୧୧ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହି ଇନିଂସ ସହିତ ସୂର୍ଯ୍ୟକୁମାର ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୨ଟି ଶତକ ହାସଲ କରିବାରେ ଭାରତର ଦ୍ୱିତୀୟ ବ୍ୟାଟ୍ସମ୍ୟାନ ହୋଇଥିଲେ। ରୋହିତ ଶର୍ମା ୨୦୧୮ରେ ଏହା କରିଥିଲେ।
ସୂର୍ଯ୍ୟକୁମାରଙ୍କ ଏହି ଇନିଂସ ପରେ ରୋହିତ ଶର୍ମାଙ୍କ ୧୧ ବର୍ଷ ପୁରୁଣା ଟୁଇଟ୍‌ ଭାଇରାଲ ହେବାରେ ଲାଗିଛି। ଏହି ଟୁଇଟରେ ରୋହିତ ସୂର୍ଯ୍ୟକୁମାରଙ୍କ ବିଷୟରେ ଭବିଷ୍ୟବାଣୀ କରିଥିଲେ। ସେ ଟୁଇଟ୍‌ରେ ଲେଖିଥିଲେ- ଚେନ୍ନାଇରେ ବିସିସିଆଇ ପୁରସ୍କାର ବିତରଣ ସମାରୋହ ଶେଷ ହୋଇଛି। ଭବିଷ୍ୟତରେ କିଛି ଆକର୍ଷଣୀୟ କ୍ରିକେଟର ଆସିବାକୁ ଯାଉଛନ୍ତି। ସେମାନଙ୍କ ମଧ୍ୟରୁ ମୁମ୍ବାଇର ସୂର୍ଯ୍ୟକୁମାର ଯାଦବ ଭବିଷ୍ୟତର ଜଣେ ଷ୍ଟାର ଖେଳାଳି ହେବେ। ଏହି ଟୁଇଟ୍‌ ଏବେ ଭାଇରାଲ ହୋଇଛି। ବର୍ତ୍ତମାନ ପ୍ରଶଂସକମାନେ ଏହାକୁ ରିଟୁଇଟ୍‌ କରି ପ୍ରତିକ୍ରିୟା କରୁଛନ୍ତି। କେହି କେହି ରୋହିତ ଶର୍ମାଙ୍କୁ ଭବିଷ୍ୟଦ୍ରଷ୍ଟା ବୋଲି କହୁଛନ୍ତି।
ସୂର୍ଯ୍ୟକୁମାର ମାତ୍ର ୨୦ ମାସ ପୂର୍ବରୁ ଭାରତ ପାଇଁ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ ଏବଂ ଏତେ କମ ସମୟ ମଧ୍ୟରେ ସେ ଟି-୨୦ରେ ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି। ନ୍ୟୁଜିଲାଣ୍ଡ ପୂର୍ବରୁ ସୂର୍ଯ୍ୟକୁମାର ନଟିଂହାମରେ ଇଂଲଣ୍ଡ ବିପକ୍ଷରେ ଟି-୨୦ରେ ଏକ ଶତକ ହାସଲ କରିଥିଲେ।

Share