ଆକାଶ ଅମ୍ବାନୀଙ୍କ ଗୋଟିଏ ଫୋନ କଲ୍‌ରେ ବଦଳିଗଲା ରୋହିତ ଶର୍ମାଙ୍କ ନିଷ୍ପତ୍ତି, ଜାଣନ୍ତୁ କ’ଣ ଘଟିଲା

ମୁମ୍ବାଇ,୨୮।୧୧: ରୋହିତ ଶର୍ମା ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବାକୁ ରାଜି ହୋଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଥର ଆଇପିଏଲ ଚାମ୍ପିୟନ କରାଇଥିବା ରୋହିତ ଆଗାମୀ ଆଇପିଏଲ୍‌ରେ ପୁଣି ନେତୃତ୍ୱ ନେବେ। ତେବେ ଏହି ନିଷ୍ପତ୍ତି ପଛରେ ଆକାଶ ଅମ୍ବାନୀଙ୍କ ଫୋନ କଲ ଏବଂ ଦଳର ଭବିଷ୍ୟତ ନେଇ ହୋଇଥିବା ଆଲୋଚନା ମୁଖ୍ୟ କାରଣ ବୋଲି ରୋହିତ କହିଛନ୍ତି।

ଏକ ସାକ୍ଷାତକାରରେ ରୋହିତ ମୁମ୍ବାଇ ଇଣ୍ଡିଆନ୍ସର ପୁଣି ଅଧିନାୟକ ହେବା ପଛର କାହାଣୀ ବଖାଣିଛନ୍ତି। ରୋହିତ କହିଛନ୍ତି, ୨୦୨୬ ଆଇପିଏଲ ସିଜିନ ଶେଷ ହେବା ପରେ ଦଳର ସମସ୍ତ ଖେଳାଳି ନିରାଶ ଥିଲେ। ଦଳ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲା ଏବଂ ସେହି ସମୟ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ କଷ୍ଟକର ଥିଲା। ଘରକୁ ଫେରିବା ପରେ ସେ ଦଳର ପ୍ରଦର୍ଶନ ନେଇ ଗଭୀର ଭାବେ ଚିନ୍ତା କରିଥିଲେ। ଏହା ମୁମ୍ବାଇ ଇଣ୍ଡିଆନ୍ସର ପରିଚିତ ଖେଳ ନୁହେଁ ଏବଂ ଦଳକୁ ପୁଣି ଏକଜୁଟ କରିବା ଆବଶ୍ୟକ ବୋଲି ସେ ଅନୁଭବ କରିଥିଲେ।

ରୋହିତ କହିଛନ୍ତି, ଏହି ସମୟରେ ଆକାଶ ଅମ୍ବାନୀଙ୍କ ଫୋନ ଆସିଥିଲା। ଉଭୟଙ୍କ ମଧ୍ୟରେ ଦଳର ଭବିଷ୍ୟତ, ଆଗକୁ କିପରି ଦଳକୁ ନେବା ଏବଂ ମୁମ୍ବାଇ ଇଣ୍ଡିଆନ୍ସକୁ ପୁଣି ଶକ୍ତିଶାଳୀ କରିବା ନେଇ ଦୀର୍ଘ ଆଲୋଚନା ହୋଇଥିଲା। ଏହି ଆଲୋଚନା ସମୟରେ ଆକାଶ ଅମ୍ବାନୀ ରୋହିତଙ୍କୁ ପୁଣି ଦଳର ଅଧିନାୟକତ୍ୱ ନେବାକୁ କହିଥିଲେ। ପ୍ରଥମେ ରୋହିତ ଏଥିପାଇଁ ପ୍ରସ୍ତୁତ ନ ଥିଲେ। କିନ୍ତୁ ପରେ ସେ ଏହି ଦାୟିତ୍ୱ ନେବା ନେଇ ଚିନ୍ତା କରିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କ ପାଇଁ ଏକ ବିଶେଷ ଦଳ। ଦୀର୍ଘ ୧୦ ବର୍ଷ ଧରି ସେ ଏହି ଦଳର ଅଧିନାୟକତ୍ୱ କରିଛନ୍ତି ଏବଂ ଦଳ ଗଠନରେ ତାଙ୍କର ମଧ୍ୟ ଅବଦାନ ରହିଛି।

ସେ କହିଛନ୍ତି, ଦଳକୁ ଏବେ ଏକ ନିର୍ଦ୍ଦିଷ୍ଟ ଦିଗର ଆବଶ୍ୟକତା ରହିଛି। ତାଙ୍କ ଅଧିନାୟକତ୍ୱ ଦଳକୁ ସେହି ଦିଗ ଦେଇପାରିବ ବୋଲି ଅନୁଭବ କରିବା ପରେ ସେ ପୁଣି ଏହି ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ରାଜି ହୋଇଥିଲେ। ମୁମ୍ବାଇ ଇଣ୍ଡିଆନ୍ସକୁ କ୍ରମାଗତ ତିନିଟି ସିଜିନ୍‌ରେ ଶେଷ ସ୍ଥାନରେ ଦେଖିବା ତାଙ୍କ ପାଇଁ ଦୁଃଖଦ ଥିଲା ବୋଲି ରୋହିତ କହିଛନ୍ତି। ଏବେ ଦଳକୁ ପୁଣି ପୂର୍ବଭଳି ଶକ୍ତିଶାଳୀ କରିବା ପାଇଁ ସେ ସମସ୍ତ ପ୍ରୟାସ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି।

 

Dharitri – Odisha’s No.1 Odia Daily

 

Share