୨୦୨୭ ବିଶ୍ୱକପ ଜିତିବା ପାଇଁ ରୋହିତ ଶର୍ମାଙ୍କ ବଡ଼ ପ୍ଲାନ୍‌: ଶୁବମନ ଗିଲ୍‌ଙ୍କୁ ବିବାହ…

ନୂଆଦିଲ୍ଲୀ,୯।୧୧: ୨୦୨୭ ବିଶ୍ୱକପ ଜିତିବା ପାଇଁ ଯାହା କରିବାକୁ ପଡ଼ିବ, ସେ ସବୁ କରିବାକୁ ପ୍ରସ୍ତୁତ ରୋହିତ ଶର୍ମା। ଏପରିକି ଟିମ ଇଣ୍ଡିଆର ଅଧିନାୟକ ଶୁବମନ ଗିଲଙ୍କ ବାହାଘର କରାଇବାକୁ ମଧ୍ୟ ପଛଘୁଞ୍ଚା ଦେବେନି ବୋଲି ମଜାଳିଆ ଢଙ୍ଗରେ କହିଛନ୍ତି ହିଟ୍‌ମ୍ୟାନ। ରୋହିତଙ୍କ ଏହି ବୟାନ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ୨୦୨୭ ଦିନିକିଆ ବିଶ୍ୱକପ ରୋହିତ ଶର୍ମାଙ୍କ କ୍ୟାରିୟରର ଶେଷ ବିଶ୍ୱକପ। ତେଣୁ ଏହି ବିଶ୍ୱକପ ଟ୍ରଫି ଜିତିବା ତାଙ୍କ ପାଇଁ ଏକ ବଡ଼ ସ୍ବପ୍ନ। ନିଜର ଶୋ ‘ଫ୍ୟାମିଲି ଫୁଲ ହାଉସ ୱିଥ ରୋହିତ ଶର୍ମା’ରେ ହିଟ୍‌ମ୍ୟାନ ଏହି କଥା କହିଛନ୍ତି। ଶୋ’ରେ ଷ୍ଟାଣ୍ଡଅପ କମେଡିଆନ ଆକାଶ ଗୁପ୍ତା ଏକ ମଜାଦାର ଥିଓରୀ ରଖିଥିଲେ। ତାଙ୍କ କହିବା ଅନୁସାରେ, ଇତିହାସ ସାକ୍ଷୀ ରହିଛି ଯେ ଯେଉଁ ଅଧିନାୟକ ବିବାହ କରନ୍ତି, ପରବର୍ତ୍ତୀ ବର୍ଷ ସେ ବିଶ୍ୱକପ ଜିତିଥାନ୍ତି।

ଏହା ଶୁଣି ରୋହିତ ହସିବା ସହ କହିଥିଲେ, ଯଦି ଏମିତି ହୁଏ, ତେବେ ବିଶ୍ୱକପ ଜିତିବା ପାଇଁ ସେ ଶୁବମନ ଗିଲଙ୍କୁ ବାହାଘର ମଧ୍ୟ କରାଇଦେବେ। ତାଙ୍କର ଏହି ମଜାଳିଆ ମନ୍ତବ୍ୟ ଦର୍ଶକଙ୍କୁ ବେଶ ହସାଇଥିଲା। ଏହି ଶୋ’ରେ ଶାଦି ଡଟ କମ୍ର ପ୍ରତିଷ୍ଠାତା ଅନୁପମ ମିତ୍ତଲ ମଧ୍ୟ ଉପସ୍ଥିତ ଥିଲେ। ସେ କହିଥିଲେ, ତାଙ୍କ ଟିମ ଗିଲଙ୍କ ପ୍ରୋଫାଇଲ ନିଜ ୱେବସାଇଟ୍‌ରେ ତିଆରି କରିସାରିଛି। ଏପରିକି ତାଙ୍କ ପାଇଁ ବିବାହ ପ୍ରସ୍ତାବ ମଧ୍ୟ ପଠାଯାଇଛି। ଏବେ କେବଳ ଗିଲଙ୍କୁ ‘ରାଇଟ ସ୍ବାଇପ’ କରିବାକୁ ପଡ଼ିବ। ଏହା ଶୁଣି ରୋହିତ ମଜାଳିଆ ଢଙ୍ଗରେ କହିଥିଲେ, ବିଶ୍ୱକପ ଜିତିବା ପାଇଁ ଯାହା କରିବାକୁ ପଡ଼ିବ, ମୁଁ କରିବି।
୨୦୨୩ ମସିହାରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଦିନିକିଆ ବିଶ୍ୱକପ ଫାଇନାଲ୍‌ରେ ପହଞ୍ଚିଥିଲା। କିନ୍ତୁ ଫାଇନାଲ୍‌ରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହେବା ପରେ ଭାରତର ବିଶ୍ୱକପ ଜିତିବା ସ୍ବପ୍ନ ଅଧୁରା ରହିଯାଇଥିଲା।

Dharitri – Odisha’s No.1 Odia Daily

 

Share