Categories: ଖେଳ

ଟି୨୦ରୁ ରୋହିତ ହେବେ ବିଦା, ପ୍ରତି ଫର୍ମାଟ ଲାଗି ଭିନ୍ନ ଟିମ୍‌ !

ନୂଆଦିଲ୍ଲୀ,୧୩।୧୨: ଟିମ୍‌ ଇଣ୍ଡିଆରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଅଫ୍‌ ଇଣ୍ଡିଆ(ବିସିସିଆଇ)। ନୂଆ ବର୍ଷଠାରୁ ଏହି ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଚଳିତ ମାସ ୨୧ରେ ବୋର୍ଡର ଆପେକ୍ସ କାଉନସିଲରର ଏକ ବୈଠକ ହେବ। ଏଥିରେ ଭାରତୀୟ ଟିମ୍‌ରେ ବିଭିନ୍ନ ପରିବର୍ତ୍ତନ ଉପରେ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି।

ଭାରତୀୟ ଦଳର ସବୁଠାରୁ ବଡ଼ ପରିବର୍ତ୍ତନ ହେଉଛି ରୋହିତ ଶର୍ମାଙ୍କୁ ଟି୨୦ ଫର୍ମାଟର ଅଧିନାୟକତ୍ୱ ପଦରୁ ବାଦ୍‌ ଦେବା। ରୋହିତ ମଧ୍ୟ ଏଥିରେ ନିଜର ସହମତି ପ୍ରକାଶ କରିଛନ୍ତି। ବୋର୍ଡ ନିରନ୍ତର ଭାବେ ତାଙ୍କ ସହ କଥା ହେଉଛି। ଏଣୁ ରୋହିତଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ଅଧିନାୟକ କରାଯାଇପାରେ। ଯଦି ଏହା ସତ ହୁଏ ତେବେ ପାଣ୍ଡ୍ୟା ଆସନ୍ତା ବର୍ଷ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜରୁ ଅଧିନାୟକ ପଦ ସମ୍ଭାଳିବେ। ଏହାଛଡ଼ା ମୁଖ୍ୟ କୋଚ୍‌ ପଦରୁ ରାହୁଲ ଦ୍ରାବିଡଙ୍କୁ ମଧ୍ୟ ଟି୨୦ କୋଚ୍‌ ପଦରୁ ବାହାର କରାଯାଇପାରେ।

ତେବେ ପ୍ରତ୍ୟେକ ଫର୍ମାଟ ଲାଗି ବୋର୍ଡ ଏକ ପୃଥକ ଦଳ ପ୍ରସ୍ତୁତ କରିପାରେ। ନୂତନ ଚୟନ କମିଟି ସ୍ଥିରିକୃତ ହେବା ପରେ ଟିମ୍‌ ଇଣ୍ଡିଆରେ ବୈପ୍ଳବିକ ପରିବର୍ତ୍ତନ ଦେଖାଯିବ। ଏଭଳି ସ୍ଥିତିରେ ରୋହିତଙ୍କ ଭୂମିକା କ’ଣ ହେବ ତାହା କମିଟି ଆସିବା ପରେ ସ୍ପଷ୍ଟ ହେବ ବୋଲି କୁହାଯାଉଛି।
କହିରଖୁଛୁ ଯେ, ୨୦୧୩ରେ ଶେଷ ଥର ଲାଗି ଟିମ୍‌ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। ସେବେଠାରୁ ଏବେଯାଏ ଦଳ ଆଇସିସି ଟ୍ରଫି ଜିତିବାରେ ବିଫଳ ହୋଇଛି। ଆଗାମୀ ଦୁଇ ବର୍ଷରେ ଭାରତ ଦୁଇଟି ବିଶ୍ୱକପ୍‌ ଖେଳିବ। ଏହାକୁ ଦଳ ଜିତିବାକୁ ଚାହୁଁଛି।

Share