ନୂଆଦିଲ୍ଲୀ,୧୫।୧୧: ନ୍ୟୁଜିଲାଣ୍ଡ ମାଟିରେ ଶେଷ ଥର ପାଇଁ ଦିନିକିଆ ମ୍ୟାଚ୍ ଖେଳିଛନ୍ତି ଭାରତୀୟ କ୍ରିକେଟ୍ ଦଳର ଦୁଇ ଷ୍ଟାର୍ ବ୍ୟାଟର୍ ରୋହିତ ଶର୍ମା ଓ ବିରାଟ କୋହଲି । ରବିବାର ମାଉଣ୍ଟ ମାଉଙ୍ଗାନୁଇର ବେ ଓଭାଲ୍ରେ ଖେଳାଯାଇଥିବା ପଞ୍ଚମ ଦିନିକିଆ ଉଭୟଙ୍କ ପାଇଁ ନ୍ୟୁଜିଲାଣ୍ଡ ମାଟିରେ ଶେଷ ଦିନିକିଆ ମ୍ୟାଚ୍ ଥିଲା। ମ୍ୟାଚ୍ ପରେ ଉଭୟ ଖେଳାଳି ଷ୍ଟାଡିୟମ୍ରେ ଉପସ୍ଥିତ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଥିଲେ।
ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳ ପ୍ରଥମେ ଟି-୨୦ ସିରିଜ୍କୁ ୩-୨ରେ ଜିତିଥିବା ବେଳେ ଏବେ ଦିନିକିଆ ସିରିଜ୍କୁ ମଧ୍ୟ ୩-୧ରେ କବ୍ଜା କରିଛି । ପଞ୍ଚମ ଦିନିକିଆରେ ଭାରତ ୨୨ ରନ୍ରେ ବିଜୟୀ ହୋଇଥିଲା। ଏହି ମ୍ୟାଚ୍ରେ ରୋହିତ ଓ ବିରାଟ ବଡ଼ ଇନିଂସ ଖେଳିପାରି ନଥିଲେ । ରୋହିତ ୧୩ଟି ବଲ୍ରୁ ୭ ରନ୍ କରି ଆଉଟ୍ ହୋଇଥିବା ବେଳେ ବିରାଟ ୭ଟି ବଲ୍ରୁ ୫ ରନ୍ କରିଥିଲେ।
ଉଭୟ ଖେଳାଳି ଟେଷ୍ଟ ଓ ଟି-୨୦ କ୍ରିକେଟ୍ରୁ ଅବସର ନେଇସାରିଥିବାରୁ ଏବେ କେବଳ ଦିନିକିଆ ଫର୍ମାଟ୍ରେ ଖେଳୁଛନ୍ତି । ତେଣୁ ଏହି ଗସ୍ତ ନ୍ୟୁଜିଲାଣ୍ଡରେ ସେମାନଙ୍କର ଶେଷ ଦିନିକିଆ ଗସ୍ତ ଥିଲା। ଉଭୟଙ୍କୁ ଶେଷ ଥର ପାଇଁ ଖେଳୁଥିବା ଦେଖିବାକୁ ଷ୍ଟାଡିୟମ୍ରେ ହଜାର ହଜାର ଦର୍ଶକଙ୍କ ଭିଡ଼ ଜମିଥିଲା।
ଉଲ୍ଲେଖଯୋଗ୍ୟ, ପଞ୍ଚମ ଦିନିକିଆରେ ଭାରତ ୨୦୯ ରନ୍ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ୧୮୭ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ଭାରତର ବିଜୟରେ ଅର୍ଶଦୀପ ସିଂ ୩ଟି ଓ ମହମ୍ମଦ ସିରାଜ ୨ଟି ୱିକେଟ୍ ନେଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ।

