Categories: Home Leftଖେଳ

ରୋହିତ-ବିରାଟଙ୍କ ବିଶ୍ୱକପ ଖେଳିବା ନେଇ ସସ୍‌ପେନ୍ସ, ଶେଷରେ BCCI ଅଧ୍ୟକ୍ଷ ଦେଲେ ବଡ଼ ସୂଚନା, ଜାଣନ୍ତୁ କ’ଣ କହିଲେ…

ନୁଆଦିଲ୍ଲୀ, ୨୨।୧୦: ୨୦୨୭ ଦିନିକିଆ ବିଶ୍ୱକପରେ ରୋହିତ ଶର୍ମା ଓ ବିରାଟ କୋହଲି ଖେଳିବେ କି ନାହିଁ, ଏହି ପ୍ରଶ୍ନ ଉପରେ କ୍ରିକେଟ ପ୍ରଶଂସକଙ୍କ ନଜର ରହିଛି। ଉଭୟ ଦିଗ୍ଗଜ ଖେଳାଳିଙ୍କ ବୟସକୁ ନେଇ ଲଗାତାର ଚର୍ଚ୍ଚା ହେଉଛି। ଏହି ସମୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)ର ଅଧ୍ୟକ୍ଷ ମିଥୁନ ମନହାସ ଏହି ପ୍ରସଙ୍ଗରେ ନିଜର ମତ ରଖିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ଦଳରେ ଚୟନ ପାଇଁ ବୟସ ଅପେକ୍ଷା ଖେଳାଳିଙ୍କ ଫିଟନେସ ଓ ପ୍ରଦର୍ଶନ ଅଧିକ ଗୁରୁତ୍ୱପୂର୍ଣ୍ଣ। ତେବେ ତାଙ୍କ ବୟାନରୁ ଉଭୟ ଖେଳାଳି ବିଶ୍ୱକପ ଖେଳିବା ନିଶ୍ଚିତ ହୋଇନାହିଁ।

ଏକ ସାକ୍ଷାତକାରରେ ମିଥୁନ ମନହାସ କହିଛନ୍ତି ଯେ, ଯଦି କୌଣସି ଖେଳାଳି ଫିଟ ଅଛନ୍ତି, ଭଲ ପ୍ରଦର୍ଶନ କରୁଛନ୍ତି ଏବଂ ଦେଶ ପାଇଁ ମ୍ୟାଚ ଜିତିବାରେ ସହାୟତା କରୁଛନ୍ତି, ତେବେ ତାଙ୍କ ବୟସ ଚୟନରେ ବାଧା ହେବା ଉଚିତ୍‌ ନୁହେଁ। ତାଙ୍କ ମତରେ, ଦଳରେ ସ୍ଥାନ ପାଇବା ପାଇଁ ଫିଟନେସ ଓ ପ୍ରଦର୍ଶନ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

ରୋହିତ ଶର୍ମା ଓ ବିରାଟ କୋହଲି ଟି-୨୦ ଅନ୍ତର୍ଜାତୀୟ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେଇସାରିଛନ୍ତି। ବର୍ତ୍ତମାନ ଉଭୟ କେବଳ ଦିନିକିଆ କ୍ରିକେଟ ଉପରେ ଧ୍ୟାନ ଦେଉଛନ୍ତି। ୨୦୨୭ ବିଶ୍ୱକପ ପର୍ଯ୍ୟନ୍ତ ନିଜର ଫିଟନେସ ବଜାୟ ରଖିବା ସହ ଲଗାତାର ଭଲ ପ୍ରଦର୍ଶନ କରିବା ଉଭୟଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ।

୨୦୨୭ ଏପ୍ରିଲରେ ରୋହିତ ଶର୍ମାଙ୍କୁ ୪୦ ବର୍ଷ ହେବାକୁ ଥିବାବେଳେ ବିଶ୍ୱକପ ସମୟରେ ବିରାଟ କୋହଲିଙ୍କ ବୟସ ୩୮ ବର୍ଷ ହେବ। ଉଭୟ ୨୦୨୩ ଦିନିକିଆ ବିଶ୍ୱକପରେ ଭାରତୀୟ ଦଳର ଅଂଶ ଥିଲେ। ତେବେ ଉକ୍ତ ଟୁର୍ନାମେଣ୍ଟର ଫାଇନାଲରେ ଭାରତ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଥିଲା। ଏବେ ଉଭୟଙ୍କ ଲକ୍ଷ୍ୟ ଆଗାମୀ ବିଶ୍ୱକପରେ ଖେଳିବା ରହିବ।

ଭାରତୀୟ ଅଧିନାୟକ ଶୁଭମନ ଗିଲଙ୍କ ପାଇଁ ମଧ୍ୟ ବରିଷ୍ଠ ଖେଳାଳିଙ୍କ ଅଭିଜ୍ଞତାକୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ମିଥୁନ ମନହାସ। ସେ କହିଛନ୍ତି ଯେ, ଦଳରେ ରୋହିତ ଶର୍ମା, ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳିଙ୍କ ଉପସ୍ଥିତି ଶୁଭମନ ଗିଲଙ୍କ ସହାୟତା କରିପାରିବ। ସେହିପରି ଯଶପ୍ରୀତ ବୁମ୍‌ରା ବୋଲିଂ ବିଭାଗର ଦାୟିତ୍ୱ ସମ୍ଭାଳିପାରନ୍ତି।

 

Dharitri – Odisha’s No.1 Odia Daily

Share