Categories: ଖେଳ

ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୧୪।୭: ଆସନ୍ତା ମାସରେ ଖେଳାଯିବାକୁ ଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଗସ୍ତ ପାଇଁ ଭାରତୀୟ ଦଳର ଅଧିନାୟିକତ୍ୱ ରୋହିତ ଶର୍ମାଙ୍କ ହାତରେ ରହିବ। ତେବେ ବିରାଟ କୋହଲି, ଜସପ୍ରୀତ ବୁମ୍‌ରା ଏବଂ ମହମ୍ମଦ ଶାମିଙ୍କୁ ଟି-୨୦ ସିରିଜରୁ ବିଶ୍ରାମ ଦିଆଯାଇଛି। ଆର ଅଶ୍ୱିନ ପୁଣି ଥରେ ଟିମ ଇଣ୍ଡିଆକୁ ଫେରିଛନ୍ତି। କୁଲଦୀପ ଯାଦବ ଏବଂ କେ.ଏଲ ରାହୁଲ ଟି -୨୦ ଦଳରେ ସ୍ଥାନ ପାଇଛନ୍ତି। କିନ୍ତୁ ଏହାପୂର୍ବରୁ ଏହି ଦୁଇ ଖେଳାଳିଙ୍କୁ ଫିଟନେସ ଟେଷ୍ଟ ଦେବାକୁ ପଡିବ।
ଚଳିତ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।
ଏହାପୂର୍ବରୁ ରୋହିତ ଶର୍ମା, ଜସପ୍ରୀତ ବୁମ୍‌ରା, ହାର୍ଦ୍ଦିକ ପାଣ୍ଡ୍ୟା, ବିରାଟ କୋହଲି ଏବଂ ରିଷଭ ପନ୍ତ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରୁ ବିଶ୍ରାମ ନେଇଥିଲେ। କିନ୍ତୁ ରୋହିତ ଶର୍ମାଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରିଷଭ ପନ୍ତ ଟି-୨୦ ସିରିଜରେ ଫେରିଛନ୍ତି। ଟିମ ଇଣ୍ଡିଆର ଏକ ନମ୍ବର ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ମଧ୍ୟ ଟି-୨୦ ସିରିଜରୁ ବିଶ୍ରାମ ଦିଆଯାଇଛି। ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜର ଅଂଶ ହୋଇଥିବା ଉମ୍ରାନ ମଲିକଙ୍କୁ ଟିମ ଇଣ୍ଡିଆରେ ସ୍ଥାନ ମିଳିନାହିଁ।
ଟିମ ଇଣ୍ଡିଆ: ରୋହିତ ଶର୍ମା (ଅଧିନାୟକ), ଇଶାନ କିଶାନ, କେ.ଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଦା, ଶ୍ରେୟାସ ଆୟର, ଦୀନେଶ କାର୍ତ୍ତିକ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଆର ଅଶ୍ୱିନ, ରବି ବିଷ୍ଣୋଇ, କୁଲଦୀବ ଯାଦବ , ଆବେଶ ଖାନ, ହର୍ଷଲ ପଟେଲ, ଅର୍ଶଦୀପ ସିଂ।

Share