Categories: ଖେଳ

ମୁମ୍ବାଇର ଅଧିନାୟକ ପଦ ଛାଡ଼ିଦେବେ ରୋହିତ! ଅଧା ସିଜନରୁ ନେତୃତ୍ୱ ଛାଡ଼ିବା ତାଲିକା ଲମ୍ବା…

ମୁମ୍ବାଇ,୨୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଚଳିତ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ବେଶ ନୈରାଶ୍ୟଜନକ ରହିଛି। ପ୍ରଥମ ଥର ପାଇଁ ଦଳ ଏଯାବତ ଖେଳିଥିବା ୮ ମୁକାବିଲାରେ ପରାଜିତ ହୋଇଛି। ଏଭଳି ପ୍ରଦର୍ଶନକୁ ଦୃଷ୍ଟିରେ ରଖି ରୋହିତ ଶର୍ମା ମୁମ୍ବାଇର ଅଧିନାୟକ ପଦ ଛାଡ଼ି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ଆଇପିଏଲ୍‌ ଅଧାରୁ ଅନେକ ଖେଳାଳି ନେତୃତ୍ୱ ଛାଡ଼ିବାର ନଜିର ରହିଥିବାରୁ ଏହା ଅସମ୍ଭବ ନୁହେଁ ବୋଲି କୁହାଯାଉଛି।

୨୦୦୯ରେ ଆର୍‌ସିବି ପିଟରସେନଙ୍କ ହାତରୁ ନେତୃତ୍ୱ ନେଇ ଅନିଲ କୁମ୍ବଲେଙ୍କୁ ଦେଇଥିଲା। ୨୦୧୨ରେ ଡେକାନ ଚାର୍ଜର୍ସ ଦଳ କୁମାର ସାଙ୍ଗାକାରାଙ୍କଠାରୁ ନେତୃତ୍ୱ ଛଡ଼ାଇ ନେଇ କ୍ୟାମରନ ହ୍ବାଇଟ୍‌ଙ୍କୁ ଦେଇଥିଲେ। ଆଇପିଏଲ ୨୦୧୨ରେ ଡାନିଏଲ ଭେଟୋରି ଆର୍‌ସିବିର ଅଧିନାୟକତ୍ୱ ଛାଡ଼ିଥିଲେ। ଏହାପରେ ଫ୍ରାଞ୍ଚାଇଜ୍‌ ବିରାଟ କୋହଲିଙ୍କୁ ଅଧିନାୟକ କରିଥିଲା। ୨୦୧୩ରେ ମୁମ୍ବାଇ ଇଣ୍ଡିଆନ୍ସ ରିକି ପଣ୍ଟିଂଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଅଧିନାୟକ କରିଥିଲା। ରୋହିତଙ୍କ ନେତୃତ୍ୱରେ ଦଳ ଥରେ କି ଦୁଇଥର ନୁହେଁ ବରଂ ୫ ଥର ଆଇପିଏଲ୍‌ ଟାଇଟଲ ନିଜ ନାମରେ କରିସାରିଛି।

ଗୌତମ ଗମ୍ଭୀର କୋଲକାତା ନାଇଟ ରାଇଡର୍ସକୁ ଦୁଇଥର ଟୁର୍ନାମେଣ୍ଟ ବିଜେତା କରିଥିଲେ। ତାଙ୍କୁ ୨୦୧୮ରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଦାୟିତ୍ୱ ମିଳିଥିଲା। ହେଲେ ସେ ସଫଳ ହୋଇପାରି ନ ଥିଲେ। ଫଳରେ ଗମ୍ଭୀର ଅଧା ସିଜନରୁ ନେତୃତ୍ୱ ଛାଡ଼ିଦେଇଥିଲେ। ଏହାପରେ ଶ୍ରେୟାସ ଆୟାର ଅଧିନାୟକ ହୋଇଥିଲେ। ୨୦୧୯ ସିଜନ ଅଧାରୁ ରାଜସ୍ଥାନ ରୟାଲ୍ସ ଅଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ଷ୍ଟିଭ ସ୍ମିଥଙ୍କୁ ଅଧିନାୟକ କରିଥିଲା। ଚଳିତ ସିଜନରେ ଦମ୍‌ଦାର ପ୍ରଦର୍ଶନ କରୁଥିବା ଦିନେଶ କାର୍ତ୍ତିକ ଆଇପିଏଲ୍‌ ୨୦୨୦ ସମୟରେ କୋଲକାତା ନାଇଟ ରାଇଡର୍ସ ଅଧିନାୟକ ପଦ ଛାଡ଼ିଥିଲେ। ଏହାପରେ ଦଳ ଇଏନ ମୋର୍ଗାନଙ୍କୁ ଅଧିନାୟକ କରିଥିଲା। ସେହିଭଳି ୨୦୨୧ର ଅଧା ସିଜନରୁ ସନରାଇଜର୍ସ ହାଇଦ୍ରାବାଦ ଡେଭିଡ୍‌ ଓ୍ବାର୍ନରଙ୍କ ସ୍ଥାନରେ କେନ୍‌ ଓ୍ବିଲିୟମସନଙ୍କୁ ନୂଆ ଅଧିନାୟକ ନିଯୁକ୍ତ କରିଥିବାର ରେକର୍ଡ ରହିଛି।

Share