ନୂଆଦିଲ୍ଲୀ,୧୭।୭: ୧୯ ଜୁଲାଇ ଦିନ ରୋହିତ ଶର୍ମା ନିଜ ଆନ୍ତର୍ଜାତୀୟ କ୍ୟାରିୟରର ଶେଷ ମ୍ୟାଚ ଖେଳିବେ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ (ODI) ମ୍ୟାଚ ଲର୍ଡସ ମୈଦାନରେ ଖେଳାଯିବ ଏବଂ ମିଡିଆ ରିପୋର୍ଟରେ ଦାବି କରାଯାଇଛି ଯେ ଏହି ମୈଦାନରେ ହିଁ ରୋହିତ ନିଜର ଶେଷ ମ୍ୟାଚ ଖେଳିବେ। ତେବେ ରୋହିତ କିମ୍ବା ବିସିସିଆଇ (BCCI) ପକ୍ଷରୁ ଏ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
ରୋହିତ ଶର୍ମାଙ୍କ ସନ୍ନ୍ୟାସକୁ ନେଇ ଗୁଜବ ସୃଷ୍ଟି ହେବା ଏହା ପ୍ରଥମ ଘଟଣା ନୁହେଁ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଜିତିଥିଲା, ସେତେବେଳେ ମଧ୍ୟ ରୋହିତଙ୍କ ସନ୍ନ୍ୟାସକୁ ନେଇ ବିଭିନ୍ନ ପ୍ରକାର ଦାବି ସାମ୍ନାକୁ ଆସିଥିଲା। ଅନ୍ୟପଟେ ୭ ମେ’ ଦିନ ସେ ଟେଷ୍ଟ ଫର୍ମାଟକୁ ଅଲବିଦା କହିଥିଲେ। ସେତେବେଳେ ‘ହିଟ୍ମ୍ୟାନ’ କହିଥିଲେ ଯେ ଯେତେବେଳେ ତାଙ୍କ ମନ କହିବ ‘ବାସ୍ ଆଉ ନୁହେଁ’, ସେତେବେଳେ ସେ କ୍ରିକେଟକୁ ଅଲବିଦା କହିଦେବେ।
ଏହା ଗତ ବର୍ଷର କଥା, ଯେତେବେଳେ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏକ ସାକ୍ଷାତକାରରେ ରୋହିତ ଶର୍ମା କହିଥିଲେ, “ଯେଉଁଦିନ ମୋତେ ଲାଗିବ ଯେ ମୁଁ ପଡ଼ିଆରେ ସେହି କାମ କରିପାରୁନାହିଁ ଯାହା ମୁଁ କରିବାକୁ ଚାହୁଁଛି, ମୁଁ ସେହି ଦିନ ହିଁ ଖେଳିବା ଛାଡ଼ିଦେବି। କିନ୍ତୁ ବର୍ତ୍ତମାନ ପାଇଁ ମୋର ବିଶ୍ୱାସ ରହିଛି ଯେ ମୁଁ ଯାହା କରୁଛି ତାହା ଦଳକୁ ସାହାଯ୍ୟ କରୁଛି।”
ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଚୟନକର୍ତ୍ତାମାନେ ରୋହିତ ଶର୍ମାଙ୍କୁ ଜଣାଇ ଦେଇଛନ୍ତି ଯେ ସେ ୨୦୨୭ ବିଶ୍ୱକପ ଯୋଜନାରେ ସାମିଲ ନାହାନ୍ତି। କୁହାଯାଇଛି ଯେ ଆସନ୍ତା ବର୍ଷ ବିଶ୍ୱକପ ପାଇଁ ସିଲେକ୍ଟର୍ସ ଯଶସ୍ବୀଙ୍କୁ ସୁଯୋଗ ଦେବାକୁ ଚାହୁଁଛନ୍ତି, ଯିଏକି ଦୀର୍ଘ ସମୟ ହେବ ନିଜ ସୁଯୋଗକୁ ଅପେକ୍ଷା କରି ରହିଛନ୍ତି। ତେବେ ଏହି ସମ୍ବନ୍ଧରେ ଏପର୍ଯ୍ୟନ୍ତ କୌଣସି ଆଧିକାରିକ (ଆନୁଷ୍ଠାନିକ) ସ୍ପଷ୍ଟୀକରଣ ମିଳିପାରିନାହିଁ।