Categories: ଖେଳ

ଏସିଆର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ସ୍ବତନ୍ତ୍ର ରେକର୍ଡ ହାସଲ କଲେ ରୋହିତ ଶର୍ମା

ମୁମ୍ବାଇ,୬।୧୦: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ତାଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି। ରାଜସ୍ଥାନ ରୟାଲ୍ସ ବିପକ୍ଷରେ ବ୍ୟାଟିଂ କରିବାକୁ ବାହାରିଥିବା ରୋହିତ ଶର୍ମା ୨ ଟି ଛକା ମାରିଥିଲେ ଏବଂ ଦ୍ୱିତୀୟ ଛକା ମାରିବା ମାତ୍ରେ ସେ ୪୦୦ କିମ୍ବା ଅଧିକ ଛକା ମାରିବାର ରେକର୍ଡ ସୃଷ୍ଟି କରିଥିଲେ। ରୋହିତ ଏସିଆର ପ୍ରଥମ ବ୍ୟାଟ୍ସମ୍ୟାନ ଯିଏକି ଟି -୨୦ ରେ ୪୦୦ ଛକା ମାରିଛନ୍ତି। ରୋହିତ ଶର୍ମା ରାଜସ୍ଥାନ ବିପକ୍ଷରେ ତାଙ୍କର ମୋଟ ଟି-୨୦ କ୍ୟାରିୟରର ୩୫୫ ତମ ମ୍ୟାଚ ଖେଳିଥିଲେ। ଏଥିରେ ସେ ୪୦୦ ଛକା ମାରିଥିଲେ। ତେବେ ରାଜସ୍ଥାନ ବିପକ୍ଷ ଇନିଂସ ଭଲ ନଥିଲା। ରୋହିତ ୧୩ ବଲରେ ୨୨ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ଏଥିରେ ସେ ୨ଟି ଛକା ଓ ଗୋଟିଏ ଚୌକା ମାରିଥିଲେ।
ରୋହିତ ଶର୍ମା ସମଗ୍ର ବିଶ୍ୱରେ ଛକା ମାରିବା ତାଲିକାରେ ସପ୍ତମ ସ୍ଥାନରେ ଅଛନ୍ତି। ରୋହିତ ଟି -୨୦ ରେ ୪୦୦ ଛକା ପାଇଛନ୍ତି। ଟି -୨୦ କିଙ୍ଗ ୱେଷ୍ଟଇଣ୍ଡିଜର କ୍ରିସ ଗେଲ ଏହି ତାଲିକାରେ ଏକ ନମ୍ବର ସ୍ଥାନରେ ଅଛନ୍ତି। ତାଙ୍କ ନାମରେ ଟି-୨୦ରେ ୧୦୦୦ରୁ ଅଧିକ ଛକା ମାରିଛନ୍ତି। ଏହା ପରେ ୱେଷ୍ଟଇଣ୍ଡିଜର କିରନ ପୋଲାର୍ଡ ନାଁ ଆସେ। ସେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳନ୍ତି। ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ଆଣ୍ଡ୍ରେ ରସେଲ ମଧ୍ୟ ତୃତୀୟ ସ୍ଥାନରେ ଅଛନ୍ତି। ନ୍ୟୁଜିଲାଣ୍ଡର ବ୍ରେଣ୍ଡନ ମ୍ୟାକକୁଲମ ଏବଂ ଅଷ୍ଟ୍ରେଲିଆର ସେନ୍‌ ୱାଟସନ ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ଥିବାବେଳେ ଦକ୍ଷିଣ ଆଫ୍ରିକାର ଏବି ଡି ଭିଲିୟର୍ସ ଷଷ୍ଠ ସ୍ଥାନରେ ଅଛନ୍ତି।

Share