ଗୋଡ଼ ଭାଙ୍ଗିଦେଲା ରୋହିତ ଶର୍ମାଙ୍କ ଶଟ୍‌, ମୁମ୍ବାଇ ଇଣ୍ଡିଆନ୍ସ ଅଭ୍ୟାସ ସମୟରେ ବଡ଼ ଅଘଟଣ,ଦେଖନ୍ତୁ Video

ମୁମ୍ବାଇ,୬।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL ୨୦୨୬)ରେ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା ଆଘାତ ଯୋଗୁ ୫ଟି ମ୍ୟାଚରୁ ବାହାରେ ରହିବା ପରେ ପଡ଼ିଆକୁ ଏକ ଜବରଦସ୍ତ ଫର୍ମ ସହ ଫେରିଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷ ମ୍ୟାଚରେ ରୋହିତଙ୍କ ବ୍ୟାଟରୁ ରନ୍‌ବର୍ଷା ଦେଖିବାକୁ ମିଳିଛି। ତାଙ୍କର ବିସ୍ଫୋରକ ୮୪ ରନ(୪୪ ବଲ) ବଳରେ ମୁମ୍ବାଇ ୨୨୯ ରନ୍‌ର ଏକ ବିଶାଳ ଲକ୍ଷ୍ୟକୁ ସଫଳତାର ସହ ହାସଲ କରିପାରିଛି।

ଆରସିବି (RCB) ବିପକ୍ଷ ଆଗାମୀ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ନେଟ ପ୍ରାକ୍ଟିସ ସମୟରେ ରୋହିତଙ୍କ ଏକ ଶଟ୍‌ ଜଣେ ଗ୍ରାଉଣ୍ଡ୍ସମ୍ୟାନଙ୍କ ଦେହରେ ବାଜିଥିଲା। ରୋହିତ ଏକ କଟ୍‌ ଶଟ୍‌ ଖେଳୁଥିବା ସମୟରେ ବଲ୍‌ଟି ସିଧାସଳଖ ଯାଇ ସେଠାରେ ଠିଆ ହୋଇଥିବା ଗ୍ରାଉଣ୍ଡ୍ସମ୍ୟାନଙ୍କ ଗୋଡ଼ରେ ବାଜିଥିଲା। ଆଘାତ ଏତେ ଶକ୍ତ ଥିଲା ଯେ ସେ ଯନ୍ତ୍ରଣାରେ ପଡ଼ିଆରେ ଶୋଇପଡ଼ିଥିଲେ।

ଘଟଣା ଦେଖିବା ମାତ୍ରେ ରୋହିତ ଖେଳ ଛାଡ଼ି ତୁରନ୍ତ ତାଙ୍କ ପାଖକୁ ଦୌଡ଼ି ଯାଇଥିଲେ। ସେ କେବଳ ତାଙ୍କ ଅବସ୍ଥା ପଚାରି ବୁଝି ନ ଥିଲେ, ବରଂ ମୁମ୍ବାଇ ଇଣ୍ଡିଆନ୍ସର ସପୋର୍ଟ ଷ୍ଟାଫଙ୍କୁ ଡାକି ତାଙ୍କର ଚିକିତ୍ସା କରାଇଥିଲେ। ରୋହିତଙ୍କ ଏହି ସ୍ନେହୀ ବ୍ୟବହାରକୁ ଦେଖି ସୋସିଆଲ ମିଡିଆରେ ପ୍ରଶଂସକମାନେ ତାଙ୍କୁ ଖୁବ ପ୍ରଶଂସା କରୁଛନ୍ତି।

ରୋହିତ ଶର୍ମା ଚଳିତ ସିଜନରେ ଏପର୍ଯ୍ୟନ୍ତ ଖେଳିଥିବା ମ୍ୟାଚଗୁଡ଼ିକରେ ବେଶ ପ୍ରଭାବଶାଳୀ ରହିଛନ୍ତି। ସେ ମୋଟ ୨୨୧ ରନ୍‌ (୫ଟି ମ୍ୟାଚରେ) କରିଛନ୍ତି। ଏଥିରେ ଷ୍ଟ୍ରାଇକ ରେଟ୍‌ ୧୭୪ରୁ ଅଧିକ ରହିଥିବା ବେଳେ ସେଥିରେ ୧୫ଟି ଛକା ଏବଂ ୧୯ଟି ଚୌକା ରହିଛି।

ରୋହିତଙ୍କ ବ୍ୟତୀତ ମୁମ୍ବାଇର ଅନ୍ୟତମ ବ୍ୟାଟର ରିକଲଟନ୍‌ ମଧ୍ୟ ଚଳିତ ସିଜନରେ ଧୂଆଁଧାର ବ୍ୟାଟିଂ କରୁଛନ୍ତି। ସେ ୫୪.୨ ହାରାହାରିରେ ୩୮୦ ରନ୍‌ ସଂଗ୍ରହ କରିଛନ୍ତି, ଯେଉଁଥିରେ ଗୋଟିଏ ଶତକ ଓ ଦୁଇଟି ଅର୍ଦ୍ଧଶତକ ସାମିଲ ଅଛି। ବର୍ତ୍ତମାନ ରୋହିତଙ୍କ ଫର୍ମକୁ ଦେଖିଲେ ଲାଗୁଛି ଯେ ଆଗାମୀ ମ୍ୟାଚ ଗୁଡ଼ିକରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସେ ଜଣେ ବଡ଼ ମ୍ୟାଚ ବିଜେତା ସାବ୍ୟସ୍ତ ହେବେ।

Dharitri – Odisha’s No.1 Odia Daily

Share
Tags: rohit sharma