Categories: ଖେଳ

ରାଷ୍ଟ୍ରୀୟ ସଙ୍ଗୀତ ଗାନ ସମୟରେ ଭାବୁକ ହେଲେ ରୋହିତ

ମେଲବୋର୍ନ,୨୩।୧୦: ମ୍ୟାଚ୍‌ ଆରମ୍ଭରୁ ଭାବବିହ୍ବଳ ନଜର ଆସିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା। ପାକିସ୍ତାନ ବିପକ୍ଷରେ ରବିବାର ସୁପର-୧୨ ଚରଣର ପ୍ରଥମ ମୁକାବିଲା ଖେଳିବାକୁ ଓହ୍ଲାଇଛି ଟିମ୍‌ ଇଣ୍ଡିଆ। ଏମିତିରେ ରୋହିତଙ୍କ ପାଇଁ ଏହା ଅଭୁଲା ମୂହୁର୍ତ୍ତ। ପ୍ରଥମ ଥର ଲାଗି ସେ ବିଶ୍ୱକପ୍‌ରେ ଅଧିନାୟକ ଭାବେ ନେତୃତ୍ୱ ନେଉଛନ୍ତି। ଏହାକୁ ନେଇ ସେ କାନ୍ଦି ପକାଇଛନ୍ତି।

ମ୍ୟାଚ୍‌ ପୂର୍ବରୁ ଉଭୟ ଟିମ୍‌ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରାଯାଉଥିବା ବେଳେ ମେଲବୋର୍ନ ଷ୍ଟାଡିୟମରେ ଲକ୍ଷାଧିକ ଲୋକଙ୍କ ସମ୍ମୁଖରେ ଖେଳାଳିମାନେ ଛିଡ଼ା ହୋଇଥିଲେ। ଭାରତର ରାଷ୍ଟ୍ରୀୟ ସଙ୍ଗୀତ ବାଜିବା କ୍ଷଣି ଖେଳାଳିମାନେ ଏହାକୁ ଗାଇଥିଲେ। ଏହାର ଶେଷ ଆଡକୁ ରୋହିତଙ୍କ ଆଖିରେ ଲୁହ ଥିଲା। ସେ ଭାବବିହ୍ବଳ ହୋଇଯାଇଥିଲେ।

ସୋସିଆଲ ମିଡିଆରେ ରୋହିତ ଭାବବିହ୍ବଳ ହେବାର ମୂହୁର୍ତ୍ତ ଥିବା ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ପୂର୍ବରୁ ଖେଳାଳି ଭାବେ ୨୦୦୭ ବିଶ୍ୱକପ୍‌ରେ ଭାଗ ନେଇଥିଲେ ରୋହିତ। ହେଲେ ୧୫ ବର୍ଷ ପରେ ତାଙ୍କୁ ଅଧିନାୟକ ଭାବେ ସାମିଲ ହେବାର ସୁଯୋଗ ମିଳିଥିବାରୁ ସେ ନିଜେ ଭାବବିହ୍ବଳ ହୋଇଥିବା ନେଇ ଚର୍ଚ୍ଚା ହେଉଛି।

Share