Categories: ଖେଳ

କୋହଲିଙ୍କ ପରାମର୍ଶରେ ସହମତ ନୁହନ୍ତି ରୋହିତ, କହିଲେ…

ନୂଆଦିଲ୍ଲୀ,୨୮।୨: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବରିଷ୍ଠ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ଟେଷ୍ଟ କ୍ରିକେଟ ଭାରତର ୫ ସ୍ଥାନରେ ଖେଳାଯିବା ଉଚିତ ବୋଲି ଏକ ପରାମର୍ଶ ଦେଇଥିଲେ। ହେଲେ ଅଧିନାୟକ ରୋହିତ ଶର୍ମା ଏଥିରେ ସହମତ ନ ଥିବା ସ୍ପଷ୍ଟ କରିଛନ୍ତି। ତୃତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ରୋହିତ କୋହଲିଙ୍କ ପରାମର୍ଶ ନେଇ ନିଜର ମତ ରଖି କହିଛନ୍ତି, ଟେଷ୍ଟ କ୍ରିକେଟକୁ କେନ୍ଦ୍ରରେ ସୀମିତ ରଖାଯାଇପାରିବ ନାହିଁ। ଏହା ଦେଶର ପ୍ରତ୍ୟେକ ଭାଗରେ ଖେଳାଯିବା ଉଚିତ। ଟେଷ୍ଟ କ୍ରିକେଟକୁ ପ୍ରୋତ୍ସାହିତ କରିବାକୁ ଚାହୁଁଥିବା ହେତୁ ଏହାକୁ ଦେଶର ପ୍ରତ୍ୟେକ ଭାଗରେ ଆୟୋଜନ କରିବାକୁ ପଡିବ ବୋଲି ସେ କହିଛନ୍ତି।

ତେବେ କୋହଲି ୫ ବର୍ଷ ପୂର୍ବେ ୨୦୧୯ ରେ ଟେଷ୍ଟ କ୍ରିକେଟକୁ ନେଇ ପରାମର୍ଶ ଦେଇ କହିଥିଲେ, ଭାରତରେ କେବଳ ୫ ସେଣ୍ଟରରେ ଟେଷ୍ଟ କ୍ରିକେଟ ଖେଳାଯିବା ଉଚିତ। ଏହାଫଳରେ ଭାରତ ଗସ୍ତ କରୁଥିବା ଦଳମାନେ କେଉଁ ପାଞ୍ଚଟି କେନ୍ଦ୍ରରେ ସେମାନଙ୍କୁ କ୍ରିକେଟ ଖେଳିବାକୁ ପଡିବ ତାହା ଜାଣିପାରିବେ। ଏହା ବ୍ୟତୀତ ସେହି ପାଞ୍ଚଟି କେନ୍ଦ୍ରରେ ପିଚ୍‌ର ଅବସ୍ଥା କିଭଳି ରହିବ ସେ ନେଇ ବିରୋଧୀ ଟିମ୍‌ ପୂର୍ବରୁ ଅବଗତ ଥିବେ। କୋହଲିଙ୍କ ଏହି ବିବୃତ୍ତିକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି।

କହିରଖୁଛୁ, ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍‌ ମାର୍ଚ୍ଚ ୧ରେ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ। ସିରିଜର ପ୍ରଥମ ଦୁଇଟି ମ୍ୟାଚ ଜିତିବା ପରେ ଭାରତ ୨-୦ରେ ଆଗୁଆ ରହିଛି। ଯଦି ଭାରତୀୟ ଦଳ ତୃତୀୟ ମ୍ୟାଚ ଜିତିନିଏ ତେବେ ସେମାନେ ଅଷ୍ଟ୍ରେଲିଆ ବିପକ୍ଷରେ ଆଉ ଏକ ସିରିଜ ଜିତିବେ।

Share