Categories: ଖେଳ

ସମାଲୋଚନାକୁ ବେଖାତିର୍‌: ରୋହିତ କହିଲେ ‘ଆମ ଟିମ୍‌ରେ କ୍ୱାଲିଟି ଅଛି’

ଦୁବାଇ,୭।୯: ଏସିଆ କପ୍‌ ୨୦୨୨ ମୁକାବିଲା ଲଗାତାର ଦ୍ୱିତୀୟ ପରାଜୟ ସହ ଟୁର୍ନାମେଣ୍ଟରୁ ବାହାର ହୋଇଛି ଟିମ୍‌ ଇଣ୍ଡିଆ। ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ପାଇଁ ଏହା ପ୍ରଥମ ବଡ଼ ଟୁର୍ନାମେଣ୍ଟ ଥିଲା। ହେଲେ ଟିମ୍‌ ଇଣ୍ଡିଆ ପରାଜିତ ହେବା ପରେ ପ୍ରଶ୍ନ ଘେରରେ ସେ।

ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ କାର୍ଯ୍ୟକାଳରେ ଭାରତୀୟ ଟିମ୍‌ କୌଣସି ଆଇସିସି ଟୁର୍ନାମେଣ୍ଟ ଜିତିପାରି ନ ଥିଲା। ଏହାକୁ ନେଇ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏପରିସ୍ଥିତିରେ ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷରେ ଭାରତ ହାରିବା ପରେ ଅଧିନାୟକଙ୍କୁ ଖବରଦାତା ସମ୍ମିଳନୀରେ ଅନେକ ପ୍ରଶ୍ନ କରାଯାଇଥିଲା।

ବିରାଟଙ୍କ ନେତୃତ୍ୱରେ ଭାରତ କୌଣସି ଦ୍ୱିପାକ୍ଷୀୟ ସିରିଜ , ବଡ଼ ଟୁର୍ନାମେଣ୍ଟ, ଆଇସିସି ଟ୍ରଫି ଜିତିପାରି ନ ଥିଲା। ସେହିଭଳି କିଛି ଆପଣଙ୍କ ସମୟରେ ବି ଘଟୁଥିବା ନଜର ଆସୁଛି ବୋଲି ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ। ଏହାର ଜବାବରେ ରୋହିତ କହିଛନ୍ତି, ଟିମ୍‌ରେ ଅସୁବିଧା ନାହିଁ। ଆମର ଟିମ୍‌ରେ କ୍ୱାଲିଟି ଅଛି। ଲଗାତାର ଭାବେ ଦଳ ଅନେକ ମ୍ୟାଚ୍‌ ଖେଳୁଛି, ଜିତୁଛି ବି। ଯେଉଁ ଟୁର୍ନାମେଣ୍ଟ ଭିନ୍ନ ଭିନ୍ନ ଦଳ ସହ ରହୁଛି, ସେଥିରେ ଚାପ ଅଧିକ ରହୁଛି। ଦ୍ୱିପାକ୍ଷୀୟ ସିରିଜରେ ଗୋଟିଏ ଟିମ୍‌ ବିପକ୍ଷରେ ଖେଳିବାକୁ ହୁଏ। ଗୋଟିଏ ଟିମ ବିରୋଧରେ ରଣନୀତି ପ୍ରସ୍ତୁତ କରାଯାଏ। ହେଲେ ଏଠାରେ ଅଲଗା ଅଲଗା ଟିମ୍‌ ସହ ଖେଳିବା ଏକ ଚ୍ୟାଲେଞ୍ଜ। ଆମେ ଜାଣୁ ଯେ ଆଇସିସି ଟୁର୍ନାମେଣ୍ଟରେ ଭଲ ଖେଳିବା ଆମ ପାଇଁ କଷ୍ଟକର। ଆମେ ପୂର୍ବରୁ ବି ଏହି ଖେଳ ଖେଳିଛୁ, ଜିତିଛୁ। ଆଗକୁ ମଧ୍ୟ ଏଥିରେ ସୁଧାର କରିବା ଦିଗରେ ବଢ଼ୁଛୁ ବୋଲି ସେ କହିଛନ୍ତି।

Share