Categories: ଜାତୀୟ

ସେନାଧିକାରୀ ହେବା ପରିବର୍ତ୍ତେ ଜମିରେ ଚାଷ କରୁଛନ୍ତି ରୋହିତ

ପାଟଣା,୧୩।୧: ବିହାରସ୍ଥିତ ହାଜିପୁରର ରୋହିତ ସିଂ ହିମାଚଳ ପ୍ରଦେଶର ଏକ ସୈନିକ ସ୍କୁଲରେ ଅଧ୍ୟୟନ କରୁଥିଲେ। ବାପା ଚାହୁଁଥିଲେ ଯେ ସେ ଜଣେ ସେନାଧିକାରୀ ହୁଅନ୍ତୁ, କିନ୍ତୁ ରୋହିତଙ୍କ ମନରେ ଆଉ କିଛି ଥିଲା। ସେ ଚାକିରି ଖୋଜୁଥିବା ପରିବର୍ତ୍ତେ ଚାକିରି ପ୍ରଦାନକାରୀ ହେବାକୁ ଚାହୁଁଥିଲେ। ୪ ବର୍ଷ ପୂର୍ବେ ସେ ଗାଁକୁ ଫେରି ଚାଷ ଆରମ୍ଭ କରିଥିଲେ। ଆଜି ସେ ତରଭୁଜ, କାକୁଡି, ବନ୍ଧାକୋବି ଏବଂ ଅନେକ ପନିପରିବା ଚାଷ କରୁଛନ୍ତି। ଗୋଟିଏ ଋତୁରେ ତାଙ୍କର ରୋଜଗାର ୪୦ ଲକ୍ଷରୁ ଅଧିକ ଅଟେ।

୨୬ ବର୍ଷୀୟ ରୋହିତ କୁହନ୍ତି, ସୈନିକ ସ୍କୁଲରେ ପଢ଼ିବାବେଳେ ବିହାର ସ୍ଥାନାନ୍ତରଣ ବିଷୟରେ ମୋ ମନରେ ପ୍ରଶ୍ନ ଉଠିଥିଲା। ମୁଁ ଭାବୁଥିଲି ଲୋକମାନେ ନିଜ ପରିବାରକୁ ଚାକିରି ପାଇଁ ଛାଡ଼ି ଅସୁବିଧାରେ ରୁହନ୍ତି। ତେଣୁ ଚାଷ କଲେ ପରିବାର ଲୋକଙ୍କ ସହ ରହିହେବ।

ସେ କୁହନ୍ତି, ‘ମୁଁ ୨୦୧୫ ରେ ଦ୍ୱାଦଶ ପାସ୍‌ କରିବା ପରେ ଗାଁକୁ ଫେରିଥିଲି। ସେତେବେଳେ ଘର ଲୋକମାନେ ମଧ୍ୟ ବିରୋଧ କରିଥିଲେ। କିନ୍ତୁ, ମୁଁ ସ୍ଥିର କରିଥିଲି ଯେ କୃଷି କେବଳ ଜୀବିକାର ଉତ୍ସ ନୁହେଁ ବରଂ ଏକ ବ୍ୟବସାୟିକ ଉତ୍ସ ମଧ୍ୟ। ସେ କୁହନ୍ତି,ଆମର ଯଥେଷ୍ଟ ଜମି ଥିଲା। ଏକ କୃଷି ପୃଷ୍ଠଭୂମି ମଧ୍ୟ ଥିଲା। ବାପା କେବଳ ଚାଷ କରୁଥିଲେ। ପାରମ୍ପରିକ ଚାଷ ପରିବର୍ତ୍ତେ ନୂତନ ଟେକ୍ନୋଲୋଜି ସହିତ ବ୍ୟବସାୟିକ ଚାଷ କରିବାକୁ ନିଷ୍ପତ୍ତି ନେଲି। ମୁଁ ତରଭୁଜ, ବନ୍ଧାକୋବି, କମଳା, ଡାଳିମ୍ବ ଏବଂ ପନିପରିବା ଚାଷ ଆରମ୍ଭ କଲି। ଜଳସେଚନ ପାଇଁ ଡ୍ରପ ଜଳସେଚନ କୌଶଳ ଗ୍ରହଣ ଆପଣାଇଛି।

ରୋହିତ ବର୍ତ୍ତମାନ ୧୦୦ ଏକର ଜମିରେ ଚାଷ କରୁଛନ୍ତି। ବିହାର ବ୍ୟତୀତ ସେ ଅନ୍ୟ ରାଜ୍ୟରେ ମଧ୍ୟ ତାଙ୍କର ଉତ୍ପାଦ ଯୋଗାଉଛନ୍ତି। ବର୍ତ୍ତମାନ ସେ ବାଂଲାଦେଶକୁ ମଧ୍ୟ ତାଙ୍କ ଉତ୍ପାଦ ପଠାଇବା ଆରମ୍ଭ କରିଛନ୍ତି। ତାଙ୍କ ସହ ୨୦୦ରୁ ଅଧିକ କୃଷକ ଜଡ଼ିତ ଅଛନ୍ତି। ୧୦୦ ଲୋକ ତାଙ୍କ ସହିତ କାମ କରନ୍ତି। ସେ ସମସ୍ତଙ୍କ ପାଇଁ ତାଲିମ ଶିବିରର ଆୟୋଜନ କରନ୍ତି ଏବଂ ନିଜେ ମଧ୍ୟ ତାଲିମ ଦିଅନ୍ତି।

Share