Categories: ଜାତୀୟ

କାଞ୍ଝାଓ୍ବାଲା ମୁତ୍ୟୁ ମାମଲା: ଆଶୁତୋଷଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ,୧୨।୧: ଦିଲ୍ଲୀ କାଞ୍ଝାଓ୍ବାଲାର ଅଞ୍ଜଳି ସିଂହଙ୍କ ମୃତ୍ୟୁ ମାମଲାର ଅଭିଯୁକ୍ତ ଆଶୁତୋଷ ଭରଦ୍ୱାଜଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଗୁରୁବାର ଦିଲ୍ଲୀର ରୋହିଣୀ କୋର୍ଟ ଆଶୁତୋଷ ଭରଦ୍ୱାଜଙ୍କ ଜାମିନ ଆବେଦନକୁ ଖାରଜ କରିବା ସହ କହିଛନ୍ତି, ତାଙ୍କ ବିରୋଧରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ତେଣୁ ତାଙ୍କୁ ଜାମିନ ଦିଆଯାଇପାରିବ ନାହିଁ। ସୂଚନା ମୁତାବକ, ଅଭିଯୁକ୍ତ ଆଶୁତୋଷ ଏହି ଘଟଣାର ପ୍ରକୃତି ଜାମିନଯୋଗ୍ୟ ଏବଂ ଏହି ଘଟଣା ପରେ ସେ ପୋଲିସକୁ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିଥିବା ଦର୍ଶାଇ ତାଙ୍କ ଓକିଲ ସୋମବାର ଜାମିନ ଆବେଦନ କରିଥିଲେ। ଅନ୍ୟପଟେ ଅତିରିକ୍ତ ସରକାରୀ ଓକିଲ ଅତୁଲ ଶ୍ରୀବାସ୍ତବ ଏହି ଆବେଦନକୁ ବିରୋଧ କରିଛନ୍ତି। ସେ କହିଛନ୍ତି, ଭରଦ୍ବାଜ ଦୁର୍ଘଟଣାରେ ସମ୍ପୃକ୍ତ ଥିବା କାର୍‌କୁ ଡ୍ରାଇଭିଂ ଲାଇସେନ୍ସ ନ ଥିବା ଅନ୍ୟ ସହ-ଅଭିଯୁକ୍ତଙ୍କୁ ଦେଇଥିଲେ। ସୂଚନାଯୋଗ୍ୟ, ଡିସେମ୍ବର ୩୧ରେ ବିଳମ୍ବିତ ରାତିରେ କାଞ୍ଝାୱାଲାରେ ଜଣେ ଯୁବତୀଙ୍କ ସ୍କୁଟିକୁ ଧକ୍କା ଦେବା ପରେ ପ୍ରାୟ ୧୨ କିଲୋମିଟର ଦୂରକୁ ଟାଣି ନେଇଥିଲେ। ଯେଉଁଠାରେ ଯୁବତୀଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଦିଲ୍ଲୀ ପୋଲିସ ଦୀପକ ଖନ୍ନା (୨୬), ଅମିତ ଖନ୍ନା (୨୫), କୃଷ୍ଣ (୨୭), ମିଥୁନ (୨୬) ଏବଂ ମନୋଜ ମିତ୍ତଲଙ୍କୁ ଗିରଫ କରିଛି। ପରେ ଆଶୁତୋଷଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଅନ୍ୟ ଜଣେ ଅଭିଯୁକ୍ତ ଅଙ୍କୁଶ ଖନ୍ନା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ବର୍ତ୍ତମାନ ଅଙ୍କୁଶଙ୍କୁ ଜାମିନ ମିିଳିସାରିଛି।

Share