Categories: ଜାତୀୟ

ଭାରତରେ ମହିଳା ଆତ୍ମଘାତୀ ଆକ୍ରମଣ ପାଇଁ ରୋହିଙ୍ଗ୍ୟା ଜେହାଦୀ ସଂଗଠନର ଷଡ଼ଯନ୍ତ୍ର: ୨ ଲକ୍ଷ ଡଲାର ପାଣ୍ଠି ଯୋଗାଣ

ନୂଆଦିଲ୍ଲୀ,୧୩।୧୨: ଭାରତରେ ମହିଳା ଆତ୍ମଘାତୀ ଆକ୍ରମଣ ପାଇଁ ରୋହିଙ୍ଗ୍ୟା ଜେହାଦୀ ସଂଗଠନ ପକ୍ଷରୁ ଷଡ଼ଯନ୍ତ୍ର ରଚାଯାଇଛି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ଏକ ସତର୍କତା ମୂଳକ ରିପୋର୍ଟ ଜାରି କରାଯାଇଛି। ରୋହିଙ୍ଗ୍ୟା ଜେହାଦୀ ସଂଗଠନକୁ ମାଲେସିଆରେ ବାସ କରୁଥିବା ଇସଲାମିକ୍‌ ପ୍ରଚାରକ ଜାକିର ନାଇକ ଆବଶ୍ୟକ ପାଣ୍ଠି ଯୋଗାଇ ଦେଉଥିବା ଗୋଇନ୍ଦା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମ୍ୟାନମାରରେ ତାଲିମ୍‌ ନେଇଥିବା ଏହି ସଂଗଠନ ଜଣେ ମହିଳାଙ୍କ ଦ୍ୱାରା ଆସନ୍ତା କିଛି ସପ୍ତାହ ମଧ୍ୟରେ ଭାରତରେ ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛି। ଏନେଇ ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ପୋଲିସ ବିଭାଗକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଭାରତରେ ଆକ୍ରମଣ ପାଇଁ ରୋହିଙ୍ଗ୍ୟା ଜେହାଦୀ ସଂଗଠନକୁ ୨ ଲକ୍ଷ ଡଲାର ପାଣ୍ଠି ଯୋଗାଇ ଦିଆଯାଇଛି। ଜାକିର ନାଇକ ଏନେଇ କୁଆଲାମ୍ପୁରରେ ବାସ କରୁଥିବା ରୋହିଙ୍ଗ୍ୟା ନେତା ମହମ୍ମଦ ନସିରଙ୍କ ସହିତ ଯୋଗାଯୋଗରେ ରହିଥିବା ଗୋଇନ୍ଦା ରିପୋର୍ଟରେ ଦର୍ଶାଯାଇଛି। ଡିସେମ୍ବର ମଧ୍ୟ ଭାଗ ଅବା ଶେଷରେ ବାଂଲାଦେଶ ବାଟେ ରୋହିଙ୍ଗ୍ୟା ଜେହାଦୀ ସଂଗଠନ ସଦସ୍ୟ ଭାରତରେ ପ୍ରବେଶ କରିବେ। ତେବେ ରୋହିଙ୍ଗ୍ୟା ଜେହାଦୀ ସଂଗଠନର ସମ୍ପୃକ୍ତ ମହିଳା ସଦସ୍ୟଙ୍କ ନାମ ଜଣାପଡ଼ିନାହିଁ। ତାଙ୍କୁ ତାଲିମ ପାଇଁ ଚଳିତ ବର୍ଷ ମାଲେସିଆରୁ ମ୍ୟାନ୍‌ମାରକୁ ପଠାଯାଇଥିଲା। ଭାରତର ଅଯୋଧ୍ୟା, ବୋଧଗୟା, ପଞ୍ଜାବ ଏବଂ ଶ୍ରୀନଗରରେ ଆତ୍ମଘାତୀ ଆକ୍ରମଣ ପାଇଁ ରୋହିଙ୍ଗ୍ୟା ଜେହାଦୀ ସଂଗଠନ ଷଡ଼ଯନ୍ତ୍ର ରଚିଥିବା ଗୋଇନ୍ଦା ରିପୋର୍ଟରେ ପ୍ରକାଶ ପାଇଛି।

Share