କ୍ରଶରରେ ଦୁର୍ବୃତ୍ତଙ୍କ ଆତଙ୍କରାଜ

ଢେଙ୍କାନାଳ ଅଫିସ, ୪।୧: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ନୂଆ ଓଡ଼ାପଡ଼ାର କ୍ରଶର ମାଲିକ ଯୁବରଞ୍ଜନ ପଣ୍ଡା (୪୪) ଏବଂ ସୁବ୍ରତ କୁମାର ନାୟକଙ୍କ ଉପରେ ସୋମବାର ବିଳମ୍ବିତ ରାତିରେ ମରଣାନ୍ତକ ଆକ୍ରମଣ ହୋଇଛି। ଉଭୟେ ରାତ୍ରି ଭୋଜନ କରୁଥିବାବେଳେ ୧୦ରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତ ମାରଣାସ୍ତ୍ର ଧରି କାର୍ଯ୍ୟାଳୟରେ ପଶି ଅତର୍କିତ ଆକ୍ରମଣ କରିବା ସହ ଆସବାବପତ୍ର ଭଙ୍ଗରୁଜା କରିଥିଲେ। ଭୟଭୀତ କରାଇବାକୁ ଏକ ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ନଗଦ ୭ ଲକ୍ଷ ୪୩ ହଜାର ଟଙ୍କା, ଗୋଟିଏ ସୁନା ଚେନ୍‌, ଦୁଇଟି ମୋବାଇଲ ଫୋନ୍‌ ନେଇ ଚମ୍ପଟ ମାରିଛନ୍ତି। ଯିବା ପୂର୍ବରୁ ସିସିଟିଭି କ୍ୟାମେରା ଭାଙ୍ଗିଦେବା ସହ ହାର୍ଡଡିକ୍ସକୁ ନେଇଯାଇଛନ୍ତି। ଗୁରୁତର ଯୁବରଞ୍ଜନଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୁବ୍ରତଙ୍କ ଅଭିଯୋଗକ୍ରମେ ମୋଟଙ୍ଗା ଥାନାରେ ଏକ ମାମଲା ରୁଜୁ କରାଯାଇଛି। ହିନ୍ଦୋଳ ରୋଡ୍‌ ଫାଣ୍ଡି ଅଧିକାରୀ ବିକାଶ ଚନ୍ଦ୍ର ବେହେରା ଅଭିଯୋଗ ପାଇ ତଦନ୍ତ କରିଛନ୍ତି। ଘଟଣାସ୍ଥଳରୁ ଖୋଖା ଜବତ କରାଯାଇଛି।
ଅନ୍ୟପଟେ ଢେଙ୍କାନାଳ ଏସ୍‌ପିଙ୍କ ବଦଳି ପରେ ଉକ୍ତ ପଦବୀରେ କେହି ଯୋଗ ଦେଇନାହାନ୍ତି। ଏତେବଡ଼ ଆପରାଧିକ ଘଟଣା ସମ୍ପର୍କରେ ଜିଲା ପୋଲିସ କାର୍ଯ୍ୟାଳୟରେ ଅବସ୍ଥାପିତ ଅତିରିକ୍ତ ଏସ୍‌ପି ପୁରୁଷୋତ୍ତମ ସେଠୀ, ଭବାନୀ ଶଙ୍କର ଉଦ୍‌ଗାତାଙ୍କ ନିକଟରେ କୌଣସି ସୂଚନା ନ ରହିବା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରି କି ସଦର ଏସ୍‌ଡିପିଓ କିମ୍ବା ମୋଟଙ୍ଗା ଥାନା ଅଧିକାରୀ ଏ ସମ୍ପର୍କରେ ଜଣାଇ ନ ଥିବାରୁ ଦୁଇ ଅତିରିକ୍ତ ଏସ୍‌ପି କହିଛନ୍ତି। ସଦର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ କୁହନ୍ତି, ଏ ନେଇ ମୋଟଙ୍ଗା ଥାନାରେ ନଂ. ୪/୨୩ରେ ଏକ ମାମଲା ରୁଜୁ କରାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି।