ଘର ପୋଡ଼ିଦେଲେ ଦୁର୍ବୃତ୍ତ

ସଇଁତଲା, ୭।୬ (ଡି.ଏନ.ଏ): ବଲାଙ୍ଗୀର ଜିଲା ସଇଁତଲା ଥାନା ଅଧୀନ ଟିକ୍ରାପଡ଼ା ଫାଣ୍ଡି ଦୁକାଲଘାଟ ଗ୍ରାମରେ କେତେଜଣ ଦୁର୍ବୃତ୍ତ ଜଣକଙ୍କ ଘର ପୋଡ଼ିଦେବା ସହ ଜୀବନରେ ମାରିଦେବା ନେଇ ଧମକ ଦେଇଥିବା ଟିକ୍ରାପଡ଼ା ଫାଣ୍ଡିରେ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ଟିକ୍ରାପଡ଼ା ପଞ୍ଚାୟତ ଦୁକାଲଘାଟ ଗ୍ରାମର ବୁଲୁ ବନଗୁଲା (୨୫) ଖାଇସାରି ପରିବାର ସହ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ କେତେଜଣ ଦୁର୍ବୃତ୍ତ ଘର ପାଖକୁ ଆସି ଗାଳିଗୁଲଜ କରିଥିଲେ। ଏପରିକି ତାଙ୍କ ସ୍ତ୍ରୀ ପିନ୍ଧିଥିବା ସୁନାହାର ନେଇଯାଇ ପରିବାରର ସମସ୍ତଙ୍କୁ ମାଡ଼ ମାରିଥିଲେ। ପରେ ଘରରେ ନିଅଁା ଲଗାଇଦେଇଥିଲେ। ଘରେ ନିଆଁ ଲାଗିଥିବା ଦେଖି ଗ୍ରାମର ବନ ବାଗ, ସତ୍ୟବାନ ବନଗୁଲା, ନିର୍ମଳ ମଲ୍ଲିକ, ଦୀନବନ୍ଧୁ ବଗର୍ତ୍ତୀ, ଦୁର୍ଯ୍ୟୋଧନ ମାଝୀ, ସୁଶୀଳ ସୁନାନୀ, ଘାସି ଚିନ୍ଦା, ସୁରୁବୁଡୁ ଚିନ୍ଦାନୀ ପ୍ରମୁଖ ପହଞ୍ଚିଥିଲେ। ହେଲେ ଦୁର୍ବୃତ୍ତମାନେ ସେଠାରୁ ଫେରାର ମାରିଥିଲେ। ଗ୍ରାମବାସୀ ମିଳିତ ଭାବେ ନିଆଁ ଲିଭାଇଥିଲେ। ଘଟଣାକୁ ନେଇ ବୁଲୁ ଟିକ୍ରାପଡ଼ା ଫାଣ୍ଡିରେ ବୁଧବାର ଅଭିଯୋଗ କରିଛନ୍ତି। ଏନେଇ ଟିକ୍ରାପଡ଼ା ପୋଲିସ ଏକ ମାମଲା (ନଂ.୧୩୫/୨୦୨୩) ରୁଜୁ କରି ତଦନ୍ତ ଜାରି ରଖିଛି।