ରେଳଲାଇନରେ ଖସିଲା ପଥର, ମାଟି ଅତଡ଼ା

ରାୟଗଡ଼ା,୧୪।୯(ଆଶିଷ ରଞ୍ଜନ ପଣ୍ଡା)ରାୟଗଡ଼ା ଜିଲାରେ ବୁଧବାର ପ୍ରବଳ ବର୍ଷା ଯୋଗୁ ରାଉଳି ଓ ଲେଲିଗୁମା ରେଳ ଷ୍ଟେଶନ ମଧ୍ୟରେ ବୁଧବାର ସକାଳ ପ୍ରାୟ ୯ଟା ୩୦ ମିନିଟ୍‌ରେ ଭୂସ୍ଖଳନ ଘଟିଛି। ପାହାଡ଼ରୁ ପଥର ଓ ମାଟି ଅତଡା ଖସି କୋରାପୁଟ-ରାୟଗଡ଼ା ରେଳପଥରେ ଜମାହେବାରୁ ଦୀର୍ଘ ୬ଘଣ୍ଟା ଧରି ଏହି ରୁଟ୍‌ରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ସକାଳ ସମୟରେ ବିଶାଖାପାଟଣା-କୋରାପୁଟ ଓ କୋରାପୁଟ-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍‌ ଏହି ରୁଟ୍‌ ଦେଇ ଯିବାର ଅଳ୍ପ ସମୟ ପୂର୍ବରୁ ଏହି ଭୂସ୍ଖଳନ ଘଟିଥିବାରୁ ଏକ ବଡ ରେଳ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ରାୟଗଡ଼ାଠାରୁ ରେଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ସଫେଇ କାର୍ଯ୍ୟ କରିବା ପରେ ଅପରାହ୍ନ ପ୍ରାୟ ୩ଟାରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲା। ରେଳ ଚଳାଚଳ ବାଧାପ୍ରାପ୍ତ ଯୋଗୁ ରାୟଗଡ଼ା, ସିଙ୍ଗାପୁର, ଟିକିରି ଷ୍ଟେଶନରେ ଯାତ୍ରୀଙ୍କ ପ୍ରବଳ ଭିଡ଼ ଜମିଥିଲା। ପ୍ରବଳ ବର୍ଷା ଯୋଗୁ ପାହାଡ଼ ଉପରୁ ବିରାଟକାୟ ପଥର ଓ ମାଟି ଅତଡା ଖସି ରେଳ ଧାରଣା ଉପରେ ପଡିବା

ସହ ପାହାଡ ଉପରୁ ପାଣି ଆସି ରେଳ ଧାରଣା ଉପରେ ପ୍ରବାହିତ ହୋଇଥିଲା। ଏହା ଜଣାପଡିବା ପରେ ରାଉଳି ଷ୍ଟେଶନ ପକ୍ଷରୁ ରାୟଗଡ଼ା ଓ ଲକ୍ଷ୍ମୀପୁର ରେଳ ଷ୍ଟେଶନକୁ ସୂଚନା ଦିଆଯାଇଥିଲା। ପରେ ରାୟଗଡ଼ା ରେଳ କର୍ତ୍ତୃପକ୍ଷ ବିଶାଖାପାଟଣା-କୋରାପୁଟ ପାସେଞ୍ଜରକୁ ରାୟଗଡ଼ାଠାରେ ଓ କୋରାପୁଟ- ବିଶାଖାପାଟଣା ପାସେଞ୍ଜର ଟ୍ରେନକୁ ଟିକିରିଠାରେ ଅଟକାଇ ଦେଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ରେଳ ଚଳାଚଳ ବାଧାପ୍ରାପ୍ତ ହେବାରୁ ଦୁଇଟି ପାସେଞ୍ଜର ଟ୍ରେନ ପଛକୁ ଫେରିଯାଇଥିଲା। ଲକ୍ଷ୍ମୀପୁରଠାରେ ଅଟକି ରହିଥିବା ଜଗଦଲପୁର- ହାଓଡା ଏକ୍ସପ୍ରେସ ରେଳ ଧାରଣା ସଫାହେବା ପରେ ବହୁ ବିଳମ୍ବରେ ହାଓଡା ଅଭିମୁଖେ ଯାତ୍ରା କରିଥିଲା।