ପୃଥିବୀ ମୁହାଁ ୬୦ ବର୍ଷ ତଳେ ନିଖୋଜ ହୋଇଥିବା ରକେଟ

ଓ୍ବାଶିଂଟନ, ୨୬।୯: ଗତ ୬୦ ବର୍ଷ ତଳେ ୧୯୬୦ରେ ମହାକାଶରେ ନିଖୋଜ ହୋଇଯାଇଥିବା ଏକ ରକେଟ ଏବେ ପୃଥିବୀ ମୁହାଁ ହୋଇଛି। ଏନେଇ ନାସା ପକ୍ଷରୁ ସୂଚନା ଦିଆଯାଇଛି। ଏହି ରକେଟର ଲମ୍ବ ୪୫ ମିଟର ହୋଇଥିବାବେଳେ ଚୌଡ଼ା ୨୦ ମିଟର ରହିଛି। ଗତ ଏକ ବର୍ଷ ଧରି ଏହା ସୂର୍ଯ୍ୟ ଆଖପାଖରେ ଘୂରି ବୁଲୁଥିଲା। ଏବେ ଏହା ପୃଥିବୀ ମୁହାଁ ହୋଇଛି। ରକେଟଟି ୨୦୨୦ ଅକ୍ଟୋବରରୁ ୨୦୨୧ ନଭେମ୍ବର ପର୍ଯ୍ୟନ୍ତ ପୃଥିବୀର ପାଖାପାଖି ରହିବାର ଆଶଙ୍କା ରହିଛି ବୋଲି ନାସାର ଜେଟ୍‌ ପ୍ରୋପଲେଶନ୍‌ ଲାବୋରେଟୋରୀର ସେଣ୍ଟର ଫର୍‌ ନିୟର ଆର୍ଥ ଅବଜେକ୍ଟ ଷ୍ଟଡିଜ୍‌ର ନିର୍ଦ୍ଦେଶକ ପଲ୍‌ ଚୋଡାସ୍‌ କହିଛନ୍ତି। ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ଏହା ଟାଣି ହୋଇ ପୃଥିବୀର ବାୟୁ ମଣ୍ଡଳକୁ ଆସିଲେ ବିପଦ ସୃଷ୍ଟି ହୋଇପାରେ ବୋଲି ସେ କହିଛନ୍ତି। ତେବେ ରକେଟଟି ପୃଥିବୀଠାରୁ ୨୭ ହଜାର ମାଇଲ୍‌ ଦୂରରେ ଅତିକ୍ରମ କରିବାର ଅନୁମାନ କରାଯାଉଛି। ଏହା ଘଣ୍ଟାପ୍ରତି ୩,୦୨୫ କିଲୋମିଟର ବେଗରେ ଗତି କରୁଛି। ୨୦୨୦ ଡିସେମ୍ବରରେ ଏହା ପୃଥିବୀଠାରୁ ୫୦ ହଜାର କିଲୋମିଟର ଦୂରରେ ରହିବ। ୨୦୨୦ ଅଗଷ୍ଟ ୧୯ରେ ମହାକାଶ ବିଜ୍ଞାନୀ ଏକ ଉଜ୍ଜଳ ବସ୍ତୁକୁ ଠାବ କରିଥିଲେ। ପରେ ସେପ୍ଟମ୍ବର ୧୭ରେ ଏହା ନିଖୋଜ ରକେଟ ବୋଲି ନାସା କହିଥିଲା। ୧୯୬୦ ସେପ୍ଟେମ୍ବର ୨୦ରେ ନାସାର ସର୍ଭେୟର-୨ ମିଶନରେ ଲୁନାର୍‌ ଲ୍ୟାଣ୍ଡର ମହାକାଶକୁ ଛଡ଼ାଯାଇଥିଲା। ତେବେ ୩ ଦିନ ପରେ ଏହାର ବିସ୍ଫୋରଣ ଘଟିଥିଲା। ପରେ ରକେଟକୁ ୧୯୬୬ରେ ଠାବ କରାଯାଇଥିଲା। ଏହାପରେ ରକେଟ ନିଖୋଜ ହୋଇଯାଇଥିଲା।

Share