ଲୁଣା ତଟବନ୍ଧରେ ପଥର ପ୍ୟାକିଂ ଖସୁଛି

କେନ୍ଦ୍ରାପଡ଼ା ଅଫିସ, ୧୧ା୪: ଗତ ସପ୍ତାହରେ ଜଳସମ୍ପଦ ବିଭାଗ ପକ୍ଷରୁ କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ନଦୀବନ୍ଧର ସର୍ବେକ୍ଷଣ ହୋଇଛି । ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ସହିତ ଜିଲାସ୍ତରୀୟ ଅଧିକାରୀଙ୍କ ମିଳିତ ଅନୁଧ୍ୟାନ କରାଯାଇ ଦୁର୍ବଳ ସ୍ଥାନ ଚିହ୍ନଟ କରାଯାଇଛି । ଲୁଣା ତଟବନ୍ଧର ବିଭିନ୍ନ ସ୍ଥାନରୁ ପଥର ପ୍ୟାକିଂ ଖସୁଛି । ସେହିପରି ଜିଲାରେ ଥିବା ୭ ନଦୀ ଓ ୨୭ ଶାଖା ନାଳର ବନ୍ଧ ଏବେ ସୁରକ୍ଷିତ ନୁହେଁ  । ବର୍ଷା ପୂର୍ବରୁ ଏହାକୁ ମରାମତି ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।
ଏସମ୍ପର୍କରେ କୃଷକ ନେତା ବିଧୂଭୂଷଣ ମହାପାତ୍ର କହିଛନ୍ତି, ଆଳି ବ୍ଲକ ଅଞ୍ଚଳ ଅଧୀନ ଗୋବିନ୍ଦପୁର, ଡିମିରିପାଳ, ପେତପଡା, ସଂସିଧା, ଏରଡଙ୍ଗ, ଦେସାହି, ପାଳମୀ, କେତୁଆପାଳ ଆଦି ୧୦ ପଞ୍ଚାୟତକୁ କାଣୀ, ଖରସ୍ରୋତା, ବ୍ରାହ୍ମଣୀ ନଦୀ ଘେରି ରହିଛି ା ବାଳକାଟି, କୋଳଢ଼ିହ ଓ ମହୁ ଗ୍ରାମକୁ ଖରସ୍ରୋତା ଗିଳି ଚାଲିଛି । ଚୂନବନ୍ଧଠାରୁ ସାନଆଙ୍କୋ, ପତ୍ରପୁରଠାରୁ ଗୋପାଳପୁର, ଟୁଙ୍ଗାଠାରୁ ବଉଳଯୋଡି ନଦୀବନ୍ଧ ପଥରପ୍ୟାକିଂ ହୋଇଥିଲେ ମଧ୍ୟ ଶୋଚନୀୟ ଅବସ୍ଥାରେ ଅଛି । କେବଳ ଆଳି ବ୍ଲକ ଅଞ୍ଚଳରେ ଏହି ନଦୀବନ୍ଧ ସମସ୍ୟା ଦେଖାଯାଇନାହିଁ । ଜିଲାର ସମସ୍ତ କେନାଲ ବନ୍ଧର ଦୁରବସ୍ଥା ସ୍ଥାନୀୟ ଗ୍ରାମବାସୀଙ୍କୁ ଆତଙ୍କିତ କରିଥିବା ବେଳେ ଚାଷ ନଷ୍ଟ କରୁଛି । ନଦୀଗୁଡିକରେ ପ୍ରତିବର୍ଷ ବନ୍ୟାଜଳ ଆସି ଜିଲାର ଉପାନ୍ତ ଅଞ୍ଚଳରେ ଥିବା ୫୫ ପଞ୍ଚାୟତବାସୀଙ୍କ ଜୀବନଯାତ୍ରାରେ ବାଧା ସୃଷ୍ଟି କରୁଛି । ଲୁଣାତଟବନ୍ଧରେ ପଥର ପ୍ୟାକିଂ ଖସିଯାଉଥିବାରୁ ସମୁଦ୍ର ମାଡ଼ି ଆସିବା ଭୟ ସେମାନଙ୍କୁ ଆତଙ୍କିତ କରୁଛି । ମେ’ ମାସ ସୁଦ୍ଧା ସମସ୍ତ ନଦୀ ଓ କେନାଲ ବନ୍ଧ ମରାମତି କାମ ସାରିବାକୁ ସେ ଦାବି କରିଛନ୍ତି । ବୁଦ୍ଧିଜୀବୀ ପ୍ରଶାନ୍ତ କୁମାର ନାୟକ କୁହନ୍ତି, କେନ୍ଦ୍ରାପଡ଼ା ଜିଲାରେ ଜଳ ସମ୍ପଦ ବିଭାଗର ଦୁଇ ଡିଭିଜନ ସହିତ ଆଳି ତଟବନ୍ଧ କାର୍ଯ୍ୟାଳୟ ଅଛି । ଏହି କାର୍ଯ୍ୟାଳୟ ମାଧ୍ୟମରେ ଜିଲାରେ ଥିବା ନଦୀ ଓ କେନାଲର ପରିଚାଳନା ହେଉଛି  । ସେହିପରି ଜିଲାର ଶେଷ ମୁଣ୍ଡରେ ଥିବା ୪୮ କିଲୋମିଟର ଲମ୍ବର ସମୁଦ୍ର ତଟର ସୁରକ୍ଷା ଦାୟିତ୍ୱ ନେଇଛନ୍ତି । ଏହାସତ୍ତ୍ୱେ କ୍ଷେତ ପାଇଁ ଜଳ ପରିଚାଳନା ଜିଲାର ବଡ଼ ସମସ୍ୟା ହୋଇଛି । ସେହିପରି ପ୍ରତିବର୍ଷ ବନ୍ୟା ଭୟରେ ୫୫ ପଞ୍ଚାୟତବାସୀ ଆତଙ୍କିତ ହେଉଛନ୍ତି । ନଦୀବନ୍ଧର ସୁଦୃଢ଼ୀକରଣ ପାଇଁ ବର୍ଷାଦିନକୁ ଛାଡି ଅନ୍ୟ ଋତୁରେ କାମ ହୋଇପାରନ୍ତା । ତେବେ ବିଭାଗୀୟ ଅଧିକାରୀ ବର୍ଷାଦିନ ଆରମ୍ଭରେ ଦୁର୍ବଳ ଚିହ୍ନିତ ନଦୀବନ୍ଧରେ ମାଟି ଓ ବାଲି ପକାଇ ଅର୍ଥ ଲୁଟୁଛନ୍ତି । ଯୋଜନାର ଅର୍ଥ ଖର୍ଚ୍ଚ ସତ୍ତ୍ୱେ ସମସ୍ୟାର ସମାଧାନ ହେଉନାହିଁ । ବୁଦ୍ଧିଜୀବୀ ରାଧାକନ୍ତ ମହାନ୍ତି କୁହନ୍ତି, ନଦୀ ଜଳ ପରିଚାଳନା ଜିଲାର ବଡ ସମସ୍ୟା ହୋଇଛି ା ସମୁଦ୍ର ମୁହାଣ ଓ ତଳମୁଣ୍ଡର ନଦୀ ଶଯ୍ୟା ପୋତି ହେଉଛି । ଏହାକୁ ଡ୍ରେଜିଂ କରା ନ ଯିବାରୁ ବନ୍ୟା ସମୟରେ ଉଦ୍‌ବୃତ ଜଳ ନିଷ୍କାସନ ହୋଇ ପାରୁ ନାହିଁ । ଏହା ବ୍ୟତୀତ ଜାନୁୟାରୀଠାରୁ ନଦୀଗୁଡିକ ଶୁଖିବା ଆରମ୍ଭ ହେଉଛି ା ଫଳରେ ସ୍ଥାନୀୟ ଚାଷ ସହିତ ହେନ୍ତାଳବଣ ନଷ୍ଟ ହେଉଛି । ହେନ୍ତାଳବଣ ନଷ୍ଟ ଫଳରେ ତଟକ୍ଷୟ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ସାତଭାୟାବାସୀ ୧୫ କିଲୋମିଟର ଦୂର ବଗପାଟିଆକୁ ସ୍ଥାନାନ୍ତର ହୋଇଛନ୍ତି  । ଜିଓ ସିନ୍ଥେଟିକ ଟ୍ୟୁବୱାଲ ଜୁଆର ମାଡକୁ ସହି ପାରୁନାହିଁ । ନଦୀ ଓ ନାଳରେ ବ୍ୟାରେଜ ଓ କ୍ରିକ୍‌ ବନ୍ଧ ପାଇଁ ସେ ମତ ରଖିଛନ୍ତି । ଏସମ୍ପର୍କରେ ଜିଲା ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ.ଉମେଶ ଚନ୍ଦ୍ର ସେଠୀ କୁହନ୍ତି, ଚଳିତ ବର୍ଷ ପାଇଁ ଦୁର୍ବଳ ନଦୀବନ୍ଧର ସ୍ଥାନ ଚିହ୍ନଟ ହୋଇଛି । ଖରାଦିନ ମଧ୍ୟରେ ଏହାର ମରାମତି କରାଯିବ ।