ରୋବଟିକ୍‌ ନର୍ସ ମେଶିନ କଲେ ବିଜ୍ଞାନ ଛାତ୍ର

ନିମାପଡ଼ା,୩୧।୭(ଡି.ଏନ.ଏ): କରୋନା ବିପତ୍ତି ସମୟରେ ସରକାରଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ଜଣେ ବିଜ୍ଞାନ ଛାତ୍ର ରୋବଟିକ୍‌ ନର୍ସ ମେଶିନ ପ୍ରସ୍ତୁତ କରି ଚର୍ଚ୍ଚା ପରିସରକୁ ଆସିଛନ୍ତି। ସେ ହେଉଛନ୍ତି ପୁରୀ ଜିଲା ନିମାପଡ଼ା ବ୍ଲକର ନିମାପଡ଼ା ଡିଏଭି ସ୍କୁଲର ଏକାଦଶ ଶ୍ରେଣୀରେ ପଢ଼ୁଥିବା ସୌମେନ୍ଦ୍ର ମିଶ୍ର। ହାତ ଇସାରା ଏବଂ ରିମୋଟ କଣ୍ଟ୍ରୋଲ ମାଧ୍ୟମରେ ମେଶିନଟି ପରିଚାଳିତ ହେବ। ଏଥିସହ ଏଥିରେ ଏମପିୟୁ ୬୦୫୦ ଆକ୍ସେଲର ମିଟର ସେନ୍‌ସର ଲାଗିଛି। କୋଭିଡ୍‌ ହସ୍ପିଟାଲଗୁଡ଼ିକରେ କାର୍ଯ୍ୟରତ ନର୍ସ, ସ୍ବାସ୍ଥ୍ୟକର୍ମୀମାନଙ୍କ ସୁରକ୍ଷା ଦୃଷ୍ଟିରୁ କରୋନା ଆକ୍ରାନ୍ତଙ୍କଠାରୁ ନିଜକୁ ଦୂରେଇ ରଖିବା ସହ ଔଷଧପତ୍ର ସମେତ ବିଭିନ୍ନ ଆବଶ୍ୟକ ଜିନିଷ ରୋଗୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଏହି ଯନ୍ତ୍ର ସହାୟକ ହେବ। ଜିନିଷପତ୍ର ପହଞ୍ଚାଇ ସାରି ଫେରିବା ପରେ ଏହି ଯନ୍ତ୍ରଟିକୁ ସାନିଟାଇଜ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ପୂର୍ବରୁ ସୌମେନ୍ଦ୍ର ରୋବଟିକ କାର୍‌ କରି ପ୍ରଶଂସିତ ହୋଇଥିଲେ। ପରେ କରୋନା ରୋଗୀଙ୍କୁ ସେବା ଯୋଗାଉଥିବା ନର୍ସ, ସ୍ବାସ୍ଥ୍ୟକର୍ମୀମାନେ ସଂକ୍ରମିତ ହେଉଥିବା ଦେଖି ସୌମେନ୍ଦ୍ର ଏକ ମେଶିନ କରିବା ଲାଗି ଚିନ୍ତା କରିଥିଲେ। ଅନ୍‌ଲାଇନ ଭିଡିଓ ଦେଖି ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ୧୨ହଜାର ଟଙ୍କା ବ୍ୟୟରେ ରୋବଟିକ ନର୍ସ ମେଶିନ ପ୍ରସ୍ତୁତ କରିଛନ୍ତି। ଯଦି ସରକାରଙ୍କ ପକ୍ଷରୁ ମିଳିଲେ, ଏକ ଉନ୍ନତମାନର ରୋବଟିକ ନର୍ସ ମେଶିନ ପ୍ରସ୍ତୁତ କରି ନିମାପଡ଼ା କୋଭିଡ କେୟାର ହସ୍ପିଟାଲକୁ ପ୍ରଦାନ କରିବେ ବୋଲି ସୌମେନ୍ଦ୍ର କହିଛନ୍ତି।