ମହିଳା ରିପୋର୍ଟରଙ୍କୁ ରୋବୋର ଅଶ୍ଳୀଳ ଆଚରଣ

ରିୟାଧ: ସାମ୍ପ୍ରତିକ ପରିସ୍ଥିତିରେ ବିଭିନ୍ନ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରାଯାଇ ଅସମ୍ଭବକୁ ସମ୍ଭବ କରାଯାଇପାରୁଛି। ଏହି କ୍ରମରେ ଏବେ ରୋବଟ୍‌ମାନେ ମଣିଷର ବିକଳ୍ପ ଭାବେ କେତେକ କ୍ଷେତ୍ରରେ କାର୍ଯ୍ୟ କରିପାରୁଛନ୍ତି। କିନ୍ତୁ ବହୁ ସମୟରେ ରୋବଟ୍‌ଗୁଡ଼ିକୁ ତିଆରି କରିବା ବେଳେ ମେଶିନ୍‌ରେ କିଛି ତ୍ରୁଟି ପରିଲକ୍ଷିତ ହୋଇଥାଏ, ଯାହା ଦ୍ୱାରା ରୋବଟ୍‌ ଇଚ୍ଛା ବିପରୀତ କାମ କରିବାକୁ ଲାଗିଥାଏ। ସାଉଦି ଆରବରେ ପ୍ରସ୍ତୁତ ହୋଇଥିବା ପ୍ରଥମ ହ୍ୟୁମାନଏଡ୍‌ ରୋବଟ୍‌ର ମଧ୍ୟ ଏପରି କିଛି କାରନାମା ସାମ୍‌ନାକୁ ଆସିଛି, ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ଏବେ ଚର୍ଚ୍ଚା ଜୋର ଧରିଛି।
ସାଉଦି ଆରବର ପ୍ରଥମ ହ୍ୟୁମାନଏଡ୍‌ ରୋବଟ୍‌ ‘ମହମଦ’ର ଉଦ୍‌ଘାଟନ ସମୟରେ ରିପୋର୍ଟ ସଂଗ୍ରହ କରିବାକୁ ଅନେକ ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ଼ ଲାଗି ରହିଥିଲା। ଏହି ଅବସରରେ ଏକ ସ୍ଥାନୀୟ ବୈଦ୍ୟୁତିକ ଗଣମାଧ୍ୟମର ରିପୋର୍ଟର ରାବ୍ୟା କସିମ୍‌ ଉକ୍ତ ରୋବଟ୍‌କୁ କିଛି ପ୍ରଶ୍ନ କରିଥିଲେ। ପ୍ରଶ୍ନର ଉତ୍ତର ଦେଉଥିବା ସମୟରେ ରୋବଟ୍‌ଟି ଉକ୍ତ ମହିଳା ରିପୋର୍ଟରଙ୍କୁ ଅସ୍ବାଭାବିକ ଭାବେ ସ୍ପର୍ଶ କରିଥିଲା। ଏହି ଦୃଶ୍ୟ ଲାଇଭ୍‌ କ୍ୟାମେରାରେ କଏଦ୍‌ ହୋଇଯାଇଥିଲା। ଭିଡିଓରେ ରୋବଟ୍‌ ‘ମହମଦ’ର ହାତ ଚାଳନାରୁ ସେ ରାବ୍ୟାଙ୍କ ସହ ଅଶ୍ଳୀଳ ଆଚରଣ କରୁଥିବା ଦର୍ଶାଇ ସାମାଜିକ ଗଣମାଧ୍ୟମରେ ଅନେକ ୟୁଜର୍ସ ଏହି ରୋବଟ୍‌ର ନିର୍ମାଣକାରୀ ସଂସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି।

Share