ରୋବୋ ପଦ୍ଧତି ରୋକିବ ଦୁର୍ଘଟଣା

ଢେଙ୍କାନାଳ ଅଫିସ, ୨୭।୧୧: ୱାଗନ ଅନଲୋଡିଂ ସମୟରେ ଦୁର୍ଘଟଣା ଏଡ଼ାଇବା ପାଇଁ ଢେଙ୍କାନାଳ ଟାଟା ଷ୍ଟିଲ୍‌ ମେରାମଣ୍ଡଳୀରେ ‘ର ମ୍ୟାଟେରିଆଲ ହାଣ୍ଡଲିଂ ସିଷ୍ଟମ୍‌ ଅପରେଶନ’ରେ ରୋବୋ ସୁବିଧାଯୁକ୍ତ ଅତ୍ୟାଧୁନିକ ୱାଗନ ଟିପଲର ବ୍ୟବସ୍ଥା ଗତ ୨୩ ତାରିଖରୁ ଆରମ୍ଭ ହୋଇଛି। ଟାଟା ଷ୍ଟିଲ୍‌ ସପ୍ଲାଏ ଚେନ୍‌ ଓ ଗ୍ରୁପ ଷ୍ଟ୍ରାଟେଜିକ୍‌ ପ୍ରୋକ୍ୟୁରମେଣ୍ଟ ଉପସଭାପତି ପୀୟୂଷ ଗୁପ୍ତା ଏବଂ ଅପରେଶନ ବିଭାଗ ଉପସଭାପତି ସୁବୋଧ ପାଣ୍ଡେ ଏହାର ଉଦ୍‌ଘାଟନ କରିଥିଲେ। ଉପସଭାପତି ଗୁପ୍ତା ନିଜ ଅଭିଭାଷଣରେ କହିଲେ, ଦଳଗତ କାର୍ଯ୍ୟ କରିବା ଦ୍ୱାରା ସମସ୍ୟାର ସହଜ ସମାଧାନ ହୋଇପାରିବ। ଶୁଭାରମ୍ଭ ହୋଇଥିବା ନୂତନ ବ୍ୟବସ୍ଥା ଏହାର ଏକ ଉଦାହରଣ। ଏଭଳି ଅଭିନବ ପ୍ରଣାଳୀକୁ ଜାମସେଦପୁର ଓ କଳିଙ୍ଗନଗରରେ ମଧ୍ୟ କାର୍ଯ୍ୟକାରୀ କରାଯାଇଛି। କମ୍ପାନୀରେ ବିପଦ ଏଡ଼ାଇବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି। ଆଧୁନିକ ୱାଗନ ଟିପଲର ସୁରକ୍ଷିତ ଭାବେ ରେକ୍‌ ଅନଲୋଡିଂ ଚକ୍ର ସମୟ ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଉପସଭାପତି ପାଣ୍ଡେ କହିଲେ, ପରିବେଶ ସୁରକ୍ଷା ଏବଂ ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ଶ୍ରେଷ୍ଠ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରାଯାଉଛି। ଏହି ନୂତନ ସଂସ୍ଥାପନ ପ୍ରଣାଳୀରେ ସ୍ବୟଂଚାଳିତ ଡ୍ରପ୍‌ ଗେଟସ୍‌ ସହିତ ଲେଜର କଟେନ୍ସ, ରୋବୋଟିକ୍‌ ଡି କପଲିଂ ଏବଂ କପଲିଂ ଅପରେଶନ୍ସ, ଟିପଲର କମ୍ପ୍ଲେକ୍ସ ମଧ୍ୟରେ ସ୍ମାର୍ଟ ଆକ୍‌ସେସ କଂଟ୍ରୋଲ, ୱାଗନ କ୍ଲିନିକ ସିଷ୍ଟମ ଏବଂ ସ୍ବୟଂଚାଳିତ ସାଇଡ୍‌ ଆର୍ମଚାର୍ଜର ଅପରେଶନ ଅନ୍ତର୍ଭୁକ୍ତ। ଉପକରଣ ସମ୍ପର୍କିତ କାର୍ଯ୍ୟ ଜାରି ରହିଥିବା ବେଳେ ଅନାଧିକୃତ ପ୍ରବେଶକୁ ବନ୍ଦ କରିବା ପାଇଁ ସ୍ବୟଂଚାଳିତ ଗେଟ୍‌ ଲକିଂ ବ୍ୟବସ୍ଥା ସହ ସ୍ବତନ୍ତ୍ର ଭାବେ ଡିଜାଇନ ହୋଇଥିବା ସ୍ମାର୍ଟ ଫେନ୍‌ସିଂ ପ୍ରଣାଳୀ ସହିତ ସଂଲଗ୍ନ କରାଯାଇଛି ବୋଲି କମ୍ପାନୀର ଚିଫ୍‌ କର୍ପୋରେଟ କମ୍ୟୁନିକେଶନ ଅଧିକାରୀ ସରଭେଶ କୁମାର ସୂଚନା ଦେଇଛନ୍ତି।