Categories: ଜାତୀୟ

‘ଜନତାଙ୍କୁ ନେଇ ସରକାର, ସରକାରଙ୍କୁ ନେଇ ଜନତା ନୁହେଁ’

ନୂଆଦିଲ୍ଲୀ,୫।୮: ଦରବୃଦ୍ଧି ଓ ବେରୋଜଗାରୀକୁ ନେଇ କଂଗ୍ରେସ ଶୁକ୍ରବାର ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରୁଛି। ଏହି କ୍ରମରେ ଦିଲ୍ଲୀରେ କଂଗ୍ରେସର ବରିଷ୍ଠ କର୍ମକର୍ତ୍ତା ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆନ୍ଦୋଳନ ବେଳେ ପୋଲିସ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଅଟକାଇଥିଲା। ଏହାକୁ ନେଇ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରା ଟୁଇଟ କରି ମୁଦ୍ରାସ୍ଫୀତି, ଅର୍ଥନୀତି ଏବଂ ବେକାରୀ ସମସ୍ୟା ସମ୍ପର୍କରେ କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିଛନ୍ତି। ରବର୍ଟ ଭଦ୍ରା ଏକ ଫେସବୁକ ପୋଷ୍ଟରେ ଲେଖିଛନ୍ତି, ଜନତାଙ୍କୁ ନେଇ ସରକାର, ସରକାରଙ୍କୁ ନେଇ ଜନତା ନୁହେଁ। ଏଥିସହ ସେ କହିଛନ୍ତି, ଜନସାଧାରଣଙ୍କ ସ୍ବରକୁ ଚାପି ଦେବା ପାଇଁ ମୁଦ୍ରାସ୍ଫୀତି ଏବଂ ଖାଦ୍ୟ ଉପରେ ଜିଏସ୍‌ଟି ଲାଗୁ କରି ସରକାରଙ୍କ ଉପରେ ଉଠିଥିବା ପ୍ରଶ୍ନକୁ ଶେଷ କରିପାରିବେ ନାହିଁ। ଦିନକୁ ଦିନ ବଢ଼ୁଥିବା ବେକାରୀ ସମସ୍ୟାକୁ ଦୂର କରିବା ପାଇଁ ସରକାର କ’ଣ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଜନସାଧାରଣଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ସରକାର ଭୁଲିପାରିବେ, କିନ୍ତୁ ଜନସାଧାରଣ ନୁହେଁ। ଲୋକଙ୍କ ସ୍ବରକୁ ଦମନ କରାଯାଇପାରିବ ନାହିଁ କିମ୍ବା ଅଣଦେଖା କରାଯାଇପାରିବ ନାହିଁି। କାରଣ ଜନତାଙ୍କୁ ନେଇ ସରକାର, ସରକାରଙ୍କୁ ନେଇ ଜନତା ନୁହେଁ ବୋଲି ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ରବର୍ଟ ଭଦ୍ରା।

Share