Categories: ଜାତୀୟ

ରାହୁଲ ଗାନ୍ଧୀଙ୍କ ଭାବନା ସାଇବାବାଙ୍କ ସହ ସମାନ, ତାଙ୍କୁ ଆଶୀର୍ବାଦ ମିଳିବ: ରବର୍ଟ ଭଦ୍ରା

ଅହମଦନଗର,୩୧ ।୧୦: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମି ତଥା ବିଜନେସମ୍ୟାନ ରବର୍ଟ ଭଦ୍ରା ରବିବାର ଏକ ବଡ ବୟାନ ଦେଇଛନ୍ତି । ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ତୁଳନା ସାଇବାବାଙ୍କ ସହ କରିଛନ୍ତି । ଏହାସହ ଭାରତ ଯୋଡୋ ଯାତ୍ରାର ଖୋଲା ଖୋଲି ପ୍ରଶଂସା କରିଛନ୍ତି । ରବର୍ଟ ଭଦ୍ରା କହିଛନ୍ତି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ପରେ ଦେଶରେ ପରିବର୍ତ୍ତନ ଦେଖିବାକୁ ମିଳିବ । କାରଣ ଏହି ଯାତ୍ରାରେ ହଜାର ହଜାର ଲୋକ ଯୋଡି ହେଉଥବା ବେଳେ ତାଙ୍କୁ(ରାହୁଲ) ଭବିଷ୍ୟତର ଆଶା ଭାବେ ଦେଖୁଛନ୍ତି ।
ସୂଚନାଯୋଗ୍ୟ, ବିଜନେସମ୍ୟାନ ରବର୍ଟ ଭଦ୍ରା ରବିବାର ମହାରାଷ୍ଟ୍ରର ଅହମଦନଗର ଜିଲାର ଶିରିଡି ସହରରେ ଥିବା ପ୍ରସିଦ୍ଧ ସାଇବାବାଙ୍କ ମନ୍ଦିର ଦର୍ଶନ ଓ ପୂଜା ପାଇଁ ପହଞ୍ଚିଥିଲେ । ସେଠାରେ ସେ କହିଥିଲେ ରାହୁଲ ଗାନ୍ଧୀଙ୍କ ଭାବନା ଆଧ୍ୟାତ୍ମିକ ନେତା(ସାଇବାବା)ଙ୍କ ଭଳି, ଯିଏ ଏକତାର ପ୍ରଚାର କରିଥିଲେ । ଭଦ୍ରା ଆହୁରି ମଧ୍ୟ କହିଥିଲେ, ବର୍ତ୍ତମାନ ଦେଶ ସଙ୍କଟର ସାମ୍ନା କରୁଛି, ରାହୁଲ ଗାନ୍ଧୀଙ୍କ ଭାବନା ସାଇବାବାଙ୍କ ସହ ସମାନ । ଆଶା କରୁଛୁ ତାଙ୍କୁ ସାଇବାବାଙ୍କ ଆଶୀର୍ବାଦ ମିଳିବ । ଭାରତ ଯୋଡୋ ଯାତ୍ରାକୁ ନେଇ ଭଦ୍ରା କହିଛନ୍ତି, ରାହୁଲ ବହୁ ସ୍ଥାନ ଯାଉଛନ୍ତି ବହୁ ଲୋକଙ୍କ ସହ ମିଶୁଛନ୍ତି । ଏହାଦ୍ୱାରା ଭବିଷ୍ୟତରେ ପରିବର୍ତ୍ତନ ଆସିବ । କାରଣ ରାହୁଲ ଗାନ୍ଧୀ ଜନତାଙ୍କ ପାଇଁ ନୂଆ ଆଶା ।

Share