ନୟାଗଡ଼,୧୨।୧୧(ଲୋକନାଥ ମିଶ୍ର): ନୟାଗଡ ଟାଉନ ଥାନା ଶୁଳିଆ ଗାଁରେ ବିଳମ୍ବିତ ରାତିରେ ଘଟିଛି ବୋମାମାଡ଼। ଶୁଳିଆ ଗାଁରେ ରାସ୍ତା କାମ ଚାଲୁଥିବାରୁ ଦୁଇଜଣ ଯୁବକ ସିମେଣ୍ଟ ଜଗିବାକୁ ରାସ୍ତା ପାଖରେ ରହିଥିଲେ। ୬ଜଣ ଲୋକ ରାତି ପ୍ରାୟ ସାଢେ ବାରଟା ସମୟରେ ଶୁଳିଆ ଗାଁ ନିକଟରେ ବିଭିନ୍ନ ମାରଣାସ୍ତ୍ର ଧରି ବୁଲୁଥିବା ଦେଖି ଯୁବକ ଦୁଇଜଣ ଗାଁ ଲୋକଙ୍କୁ ଡାକିଥିଲେ। ଗ୍ରାମବାସୀମାନେ ପଳାଇଆସିବା ଦେଖି ଦୁର୍ବୃତ୍ତମାନେ ଗ୍ରାମବାସୀଙ୍କ ଉପରକୁ ୩ଟି ବୋମା ଫୋପାଡି ଥିଲେ । ବୋମାମାଡରେ ଗାଁର ଉପେନ୍ଦ୍ର ଖଟେଇ , ସୁମନ୍ତ ବାରିକ ଏବଂ ଶତୃଘ୍ନ ବାରିକ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କର ଯାଇଛି । ୫ ଜଣ ଦୁର୍ବୃତ୍ତ ବୋମାମାଡ କରି ଫେରାର୍ ହୋଇଯାଇଥିବାବେଳେ କଇଥଗାଡିଆ ଗ୍ରାମର ଅକୃର ପ୍ରଧାନକୁ ଧରି ଗ୍ରାମବାସୀ ଉତ୍ତମ ମଧ୍ୟମ ଦେଇଛନ୍ତି। ଖବରପାଇ ପୋଲିସ ଘଟଣାସ୍ଥଳକୁ ଯାଇ ଅକୃରକୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ପରବର୍ତ୍ତୀ ସମୟରେ ଅକୃରକୁ ପୋଲିସ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିବା ପରେ ସେଠାରେ ମଧ୍ୟ ଉତ୍ତେଜନା ଦେଖାଦେଇଥିଲା । ଆହତଙ୍କ ସମ୍ପର୍କୀୟମାନେ ଅକୃରକୁ ମେଡିକାଲରେ ମଧ୍ୟ ପ୍ରବଳ ମାଡ ମାରିଥିଲେ । ଦୁର୍ବୃତ୍ତମାନେ ଡକାୟତୀ କରିବା ପାଇଁ ଯାଇଥିବା ଶୂଳିଆ ଗ୍ରାମବାସୀ କହୁଥିବାବେଳେ ଧରାପଡିଥିବା ଅକୃରକାଠ ଚୋରି କରିବାକୁ ଯାଇଥିଲେ ବୋଲି କହିଛି । ଖସିଯାଇଥିବା ସମସ୍ତ ଲୋକ କଇଥଗାଡିଆ ଗ୍ରାମର ବୋଲି ଅକୃର ସୂଚନା ଦେଇଛି । ଗ୍ରାମବାସୀ ଜବତ କରିଥିବା ଡକାୟତଙ୍କ ଦୁଇଟି ବାଇକକୁ ପୋଲିସ ଥାନାକୁ ଆଣି ତଦନ୍ତ ଆରମ୍ଭ କରିଛି।
Dharitri – Odisha’s No.1 Odia Daily


