ଜୁଏଲାରୀ ଦୋକାନ ମାଲିକଙ୍କୁ ହାଣି ଲୁଟ୍‌ ଘଟଣା: ମାସେ ପରେ ବି ପୋଲିସ ହାତ ଖାଲି

ବାଲିଗୁଡ଼ା,୨୭ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସହର ମଧ୍ୟଭାଗରେ ଥିବା ପାଟଖଣ୍ଡା ଜୁଏଲାରୀ ଦୋକାନରେ ପଶି ଖଣ୍ଡାରେ ମାଲିକକୁ ହାଣି ଡକାୟତି ଦଳ ସୁନା ଅଳଙ୍କାର ବ୍ୟାଗ୍‌ ଲୁଟ୍‌ ଘଟଣାକୁ ବୁଧବାର ମାସେ ବିତିଯାଇ ଥିଲେ ହେଁ ଅଦ୍ୟାବଧି କୌଣସି ସୁରାକ ମିଳିପାରିନାହିଁ କିମ୍ବା କାହାକୁ ମଧ୍ୟ ଗିରଫ କରାଯାଇନାହିଁ l ଏହି ଡକାୟତି ଗ୍ୟାଙ୍ଗକୁ ଡକାୟତି କରିବା ପାଇଁ ଜିଲା ତଥା ଜିଲା ବାହାରୁ ଏକ ବଡ଼ ଡକାୟତି ଗ୍ୟାଙ୍ଗ ସହ ବାଲିଗୁଡ଼ାରୁ ୩ ରୁ ୪ଜଣ ସହଯୋଗ କରିଥିବା ବିଷୟ ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ଏଭଳି ଘଟଣା ବାଲିଗୁଡ଼ାଠାରେ କେବେ ମଧ୍ୟ ଘଟି ନ ଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଡକାୟତି ଗ୍ୟାଙ୍ଗକୁ ଧରିବା ପାଇଁ କନ୍ଧମାଳ ଏସ୍‌ପି ଶୁଭେନ୍ଦୁ ପାତ୍ରଙ୍କ ନେତୃତ୍ୱରେ ପ୍ରଥମେ ୫ଟି ଟିମ୍‌ ପରେ ଆଉ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ଓଡ଼ିଶା ବାହାରର ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଜାରି ରଖାଯାଇଛି ବୋଲି ବାଲିଗୁଡ଼ା ଏଡିପିଓ ୟସ୍‌ ପ୍ରୀତମ ଶ୍ରୀମଲ ପ୍ରକାଶ କରିଛନ୍ତି। କିନ୍ତୁ ଘଟଣାକୁ ଏକ ମାସ ବିତିଥିବା ବେଳେ ପୋଲିସ ଏ ନେଇ କୌଣସି ସୂଚନା ଦେଉ ନ ଥିବାରୁ ଲୋକେ ପୋଲିସ ତଦନ୍ତକୁ ନେଇ ସନ୍ଦେହ ସୃଷ୍ଟି କରୁଛନ୍ତି। ଅଗଷ୍ଟ ୨୯ ତାରିଖ ମଙ୍ଗଳବାର ସାଢ଼େ ୧୦ଟାରେ ଏକ ବାଇକ୍‌ରେ ୩ ଜଣ ଦୁର୍ବୃତ୍ତ ଆସି ନେହେରୁ ଛକ ନିକଟରେ ଥିବା ପାଟ୍ଟଖଣ୍ଡା ଜୁଏଲାରୀ ଦୋକାନ ମଧ୍ୟରେ ପଶି ମାଲିକ ସୁବାସ ଚନ୍ଦ୍ର ଆଚାରୀଙ୍କୁ ବନ୍ଧୁକ ଦେଖାଇ ଖଣ୍ଡାରେ ଆକ୍ରମଣ କରି ସୁନା ରୁପା ଅଳଙ୍କାର ବ୍ୟାଗ୍‌ ଛଡ଼ାଇ ନେଇଥିଲେ। ଏହା ପରେ ଦାରିଙ୍ଗବାଡ଼ି ଥାନା ବାଡ଼ାବାଙ୍ଗା ପଞ୍ଚାୟତ ଡାଡ଼ାକେତା ଦେଇ ଦ୍ରୁତଗତିରେ ଯାଇଥିଲେ। ସେମାନଙ୍କୁ ଦାରିଙ୍ଗବାଡ଼ି ପୋଲିସକୁ ପିଛା କରିବାରୁ ସେମାନେ ଜଙ୍ଗଲ ଭିତରକୁ ପଳାଇଥିଲେ। ପୋଲିସ ଡକାୟତି ଗ୍ୟାଙ୍ଗକୁ ଧରିବା ପାଇଁ ଜଙ୍ଗଲର ଚାରି ପାଖରୁ ସଶସ୍ତ୍ର ପୋଲିସ ଜଗି ରହିଥିଲେ। କିନ୍ତୁ ପୋଲିସକୁ ଚକ୍‌ମା ଦେଖାଇ ସେମାନେ ଜିଲା ପାର୍‌ ହୋଇଯାଇଥିଲେ। ବର୍ତ୍ତମାନ ମଧ୍ୟ ଏହି ଘଟଣାକୁ ନେଇ ସମଗ୍ର ଜିଲା ତଥା ଜିଲା ଓ ଓଡ଼ିଶା ବାହାରର ପୋଲିସ ସଜାଗ ରହି ବିଭିନ୍ନ କ୍ଷେତ୍ରରେ ଦୃଷ୍ଟି ରଖି ତଦନ୍ତ ଚାଲୁ ରଖିଛି। ଏହି ଘଟଣାରେ କେଉଁ କେଉଁ ମୁଖ୍ୟ ବ୍ୟକ୍ତି ଓ ଡକାୟତି ଦଳରେ ରହିଛନ୍ତି, ତାହା ଖୁବ୍‌ଶୀଘ୍ର ଲୋକଲୋଚନକୁ ଅଣାଯିବ ବୋଲି କୁହାଯାଉଛି।