ଚାକିରି ଦେବା ନାଁରେ ଲୁଟ୍‌, ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ମାଲକାନଗିରି,୨୬ା୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ଥାନା ଅଞ୍ଚଳରେ ବହୁ ଲୋକଙ୍କଠାରୁ ବିଦ୍ୟୁତ୍‌ ବିଭାଗରେ ଚାକିରି କରାଇ ଦେବା ନାଁରେ ଲୋକଙ୍କଠାରୁ ଟଙ୍କା ଲୁଟିଥିବା ଅଭିଯୁକ୍ତଙ୍କୁ ମାଲକାନଗିରି ପୋଲିସ ଗିରଫ କରିଛି।

ଏ ସମ୍ପର୍କରେ ଏସ୍‌ପି. ନୀତିଶ ବାଧ୍ୱାନୀ ଦେଇଥିବା ସୂଚନାନୁଯାୟୀ, ଗତ ୧.୧୦.୨୦୨୨ରେ ମାଲକାନଗିରି ଜିଲା କାଲିମେଳା ଥାନା ତୁମ୍ବାଗୁଡ଼ା ଗ୍ରାମର ପୂର୍ଣ୍ଣେନ୍ଦୁ କୁମାର ବାରିକ ନାମକ ବ୍ୟକ୍ତି କାଲିମେଳା ଥାନାରେ ଏକ ଏତଲା ଦେଇଥିଲେ। ଏଥିରେ ଉଲ୍ଲେଖ ଥିଲା ଯେ, ଟି.ପି.ଏସ୍‌.ଓ.ଡି.ଏଲରେ ଠିକାଦାର ଭାବେ କାର୍ଯ୍ୟ କରୁଥିବା ସୁରେଶ କୁମାର ପଣ୍ଡା ନାମକ ବ୍ୟକ୍ତି ପୂର୍ଣ୍ଣେନ୍ଦୁଙ୍କ ସହ ମହେନ୍ଦ୍ର କବାସୀ, ଗଙ୍ଗାଧର ମାଡକାମି, ମୁନା ମାଡକାମି ଓ ଜଗନ୍ନାଥ ମାଡକାମିଙ୍କଠାରୁ ବିଦ୍ୟୁତ୍‌ ବିଭାଗରେ ଚାକିରି କରାଇ ଦେବେ ବୋଲି କହି ଜଣଙ୍କ ପିଛା ୪୦ ହଜାର ଟଙ୍କା ବିଭିନ୍ନ ଆକାଉଣ୍ଟ, ଫୋନ୍‌ ପେ ମାଧ୍ୟମରେ ନେଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଯୋଗାଯୋଗ କରିବାରୁ ସେ ଉତ୍ତର ଦେଇ ନ ଥିଲେ। ଫଳରେ ପୂର୍ଣ୍ଣେନ୍ଦୁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତିକରି କାଲିମେଳା ପୋଲିସ ଏହାର ତନାଘନା ଆରମ୍ଭ କରିଥିଲେ। କାଲିମେଳା ଥାନା ଏସ୍‌.ଆଇ. ଡି. ସୁନାନୀଙ୍କ ସହ ଅନ୍ୟ ପୋଲିସ କର୍ମଚାରୀମାନେ ଏହାର ତଦନ୍ତ ଚଳାଇଥିବା ବେଳେ ସୁରେଶ ପଣ୍ଡା ଭୁବନେଶ୍ୱର ରାଜମହଲଛକଠାରେ ଥିବା ଖବର ପାଇ ସୁରେଶଙ୍କୁ ସେଠାରେ ଗିରଫ କରିଥିଲେ। ପରେ ମାଲକାନଗିରି ଆଣି ପଚରାଉଚରା କଲା ପରେ ପ୍ରକୃତ ତଥ୍ୟ ପଦାକୁ ଆସିଥିଲା। ଏନେଇ ଅଭିଯୁକ୍ତ ସୁରେଶ କହିଛନ୍ତି, ସେ ଦୁଲାଦେଇ ଫାଉଣ୍ଡେଶନ ଟ୍ରଷ୍ଟର ଜଣେ ସଭ୍ୟ ଓ ବିଦ୍ୟୁତ୍‌ ବିଭାଗରେ ଠିକାଦାର ଭାବେ କାର୍ଯ୍ୟ କରିବା ସହ ନୂତନ ମିଟର ଲଗାଇବା ଆଦି କାର୍ଯ୍ୟ କରୁଥିଲେ। ତେବେ ସେ ପୂର୍ଣ୍ଣେନ୍ଦୁ ଏବଂ ଅନ୍ୟ ଲୋକଙ୍କଠାରୁ ଚାକିରି ଦେବେ କହି ଟଙ୍କା ନେଇଥିବା ସ୍ବୀକାର କରିଛନ୍ତି। ସେ ମୋଟ୍‌ ୪ ଲକ୍ଷ ୨୮ ହଜାର ଟଙ୍କା ବିଭିନ୍ନ ବ୍ୟକ୍ତିଙ୍କଠାରୁ ନେଇଥିବା ବେଳେ ଉକ୍ତ ଟଙ୍କାରେ ସେ ସେକେଣ୍ଡ ହ୍ୟାଣ୍ଡ କାର୍‌ କିଣିବା ସହ ବଳକା ଟଙ୍କା ନିଜସ୍ବ ଖର୍ଚ୍ଚ ପାଇଁ ରଖିଥିବା ପୋଲିସ ଆଗରେ କହିଛନ୍ତି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଥିବା କହିଛି।