ଡକାୟତ ଗ୍ୟାଙ୍ଗ-ଗ୍ରାମବାସୀ ଖଣ୍ଡଯୁଦ୍ଧ: ୩ ଗ୍ରାମବାସୀ ଗୁରୁତର, ଜଣେ ଡକାୟତ କାବୁ

ବାଲେଶ୍ୱର ଅଫିସ,୨୯ା୧୧: ବାଲେଶ୍ୱର ଜିଲା ସୋର ଥାନା ନଦିଗାଁ ପଞ୍ଚାୟତ ହରିଡ଼ାପଡ଼ା ଅଞ୍ଚଳର ସୁଦାମ ଚରଣ ବାଉଲି ଶନିବାର ରାତିରେ ଘରକୁ ଫେରିବା ବାଟରେ ପିତାକାଳିଆ ଛକ ନିକଟରେ ୭ ଜଣ ଡକାୟତ ତାଙ୍କୁ ଅଟକାଇଥିଲେ। ସୁଦାମ ସଙ୍ଗେ ସଙ୍ଗେ ତାଙ୍କ ଘର ପାଖ ଲୋକଙ୍କୁ ଫୋନ୍‌ କରି ଡାକିଥିଲେ। ଡକାୟତମାନେ ସୁଦାମଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ସେହି ସମୟରେ ସ୍ଥାନୀୟ ଲୋକ ସୁଦାମଙ୍କ ଡାକ ଶୁଣି ପହଞ୍ଚିଯିବାରୁ ସେମାନଙ୍କୁ ବି ଦୁର୍ବୃତ୍ତମାନେ କଟୁରି ଓ ବନ୍ଧୁକରେ ଆକ୍ରମଣ କରିଥିଲେ। ଗ୍ରାମବାସୀ ମଧ୍ୟ ଦୁର୍ବୃତ୍ତମାନଙ୍କୁ ପ୍ରତି ଆକ୍ରମଣ କରିଥିଲେ। କିଛି ସମୟ ପାଇଁ ଗ୍ରାମବାସୀ ଓ ଡକାୟତମାନଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ଖବର ପାଇ ସୋର ଥାନା ଏଏସ୍‌ଆଇ ପ୍ରଦୀପ ମହାନ୍ତି, ଏଏସ୍‌ଆଇ ପ୍ରତାପ କାର୍ଲୋ ଘଟଣାସ୍ଥଳରେ ପହଞ୍ଚି ଜଣେ ଦୁର୍ବୃତ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ଏହି ଆକ୍ରମଣରେ ସୁଦାମ ଚରଣ ବାଉଲି, ଅଜୟ କୁମାର ବେହେରା, ପ୍ରଦୀପ କୁମାର ମହାକୁଡ଼ ଗୁରୁତର ହୋଇ ସୋର ଡାକ୍ତରଖାନାରେ ଚିକିତ୍ସା ହେଉଥିବା ଜଣାପଡ଼ିଛି। ସୋର ପୋଲିସ କାବୁ କରିଥିବା ଦୁର୍ବୃତ୍ତ ଜଣକ ଆହତ ହୋଇଥିବା ଜଣାପଡ଼ିଛି। ପୋଲିସ କାବୁ କରିଥିବା ଦୁର୍ବୃତ୍ତ ଜଣକ କେନ୍ଦ୍ରାପଡ଼ା ମାର୍ଶାଘାଇ ଅଞ୍ଚଳର ପ୍ରଦ୍ୟୁମ୍ନ ସେନାପତି ବୋଲି ଜଣାପଡ଼ିଛି।