ପୋଲିସ ପଞ୍ଝାରେ ଡକାୟତ ଗ୍ୟାଙ୍ଗ୍‌

ଖୋର୍ଦ୍ଧା ଅଫିସ,୧୪ା୫: ଖୋର୍ଦ୍ଧା ପୋଲିସ ହାତରେ ଧରାପଡ଼ିଛି ଡକାୟତ ଗ୍ୟାଙ୍ଗ୍‌। ଖୋର୍ଦ୍ଧା ଟାଉନ ଏବଂ ବାଘମାରୀ ପୋଲିସ ପୃଥକ୍‌ ଭାବେ ଦୁଇଟି ଡକାୟତ ଗ୍ୟାଙ୍ଗ୍‌ର ୧୦ ଜଣଙ୍କୁ ଗିରଫ କରିବା ସହ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି। ସୂଚନା ମୁତାବକ, ୫୭ ନମ୍ବର ଜାତୀୟ ରାଜପଥର ଜଟଣୀ ବାଇପାସ୍‌ ମୋଦି ପଡ଼ିଆରେ ଗୁରୁବାର ବିଳମ୍ବିତ ରାତିରେ ଡକାୟତି ଯୋଜନା ଚାଲିଥିବା ଖବର ପାଇ ଟାଉନ ପୋଲିସ୍‌ର ଏକ ସ୍ବତନ୍ତ୍ର ଟିମ୍‌ ପହଞ୍ଚି ଚଢ଼ାଉ କରି ୭ ଜଣଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନେ ହେଲେ ସଦର ଥାନା କୁଞ୍ଜରୀର ଜ୍ୟୋତିରଞ୍ଜନ ନନ୍ଦ, ଖୋର୍ଦ୍ଧା ଟାଉନ ଥାନା ମୁକୁନ୍ଦପ୍ରସାଦ ମୁସ୍‌ଲିମ ସାହିର ରାଜ ଦଳବେହେରା ଓରଫ ଏମ୍‌ଡି ଅବଦ୍ଦୁଲ ରେହମାନ, କାଳିଆ ଓରଫ ଇମ୍‌ରାନ ଖାନ୍‌, ଅବିଦ ଖାନ, ଅଜ୍‌ ଓରଫ ଅଜଗର ଖାନ୍‌, ମହମଦ୍ଦ ଖାନ୍‌, ସିପା ଓରଫ ସୁଦୀପ୍ତ ନାୟକ। ଏମାନଙ୍କ ନିକଟରୁ କଟୁରି, ୪ଟି ଲୁହାରଡ୍‌, ଚାଇନା ମଡେଲ ରୁପାର ପିସ୍ତଲ, ଭୁଜାଲି, ୨ଟି କାଠ ବାଉଁଶ, ୩ଟି ମୋବାଇଲ ଫୋନ ଜବତ ହୋଇଛି। ଜ୍ୟୋତିରଞ୍ଜନଙ୍କ ନଁାରେ ପୂର୍ବରୁ ଟାଉନ ଥାନାରେ ଏକ ମାମଲା ରହିଥିବା ବେଳେ ରାଜ୍‌ ନଁାରେ ୩ଟି, ଇମ୍‌ରାନ ନଁାରେ ୨ଟି, ଅବିଦ ଓ ଅଜଗର ନଁାରେ ଗୋଟିଏ ଲେଖାଏ ମାମଲା ରହିଥିବା ବେଳେ ସିପା ନଁାରେ ୯ଟି ଆପରାଧିକ ମାମଲା ରହିଥିବା ଡିଏସ୍‌ପି ତଥା ଥାନାଧିକାରୀ ସଞ୍ଜୟ ପଟ୍ଟନାୟକ କହିଛନ୍ତି। ଏସ୍‌ଡିପିଓ ସୁଶୀଲ କୁମାର ମିଶ୍ର ଓ ଥାନା ଅଧିକାରୀ ପଟ୍ଟନାୟକଙ୍କ ନେତୃତ୍ୱରେ ଏସ୍‌ଆଇ ଅଞ୍ଜି ମଲିକ, ଏଏସ୍‌ଆଇ ପି.ସିଏଚ୍‌ ଜେନା, ଅକ୍ଷୟ କୁମାର ସେଠୀ, ହାବିଲଦାର ଅଭୟ ସାମନ୍ତରାୟ, ପ୍ରଦୀପ ହରିଚନ୍ଦନ, ଏମ୍‌. ଖାନ୍‌, କନ୍‌ଷ୍ଟେବଳ ରବୀନ୍ଦ୍ର ଦାସ, ନିଲୁ ଚରଣ ମଲିକ. ଲଲାଟେନ୍ଦୁ ଶ୍ରୀଚନ୍ଦନ, ଶୁଭ୍ରାଂଶୁ ସାମନ୍ତସିଂହାର, ଏସ୍‌. ବଳିୟାରସିଂ, ଏ. ଦାସ, ବାମନ କହ୍ନାର ପ୍ରମୁଖ ଏହି ଚଢ଼ାଉରେ ସାମିଲ ଥିଲେ। ସେହିପରି ଖୋର୍ଦ୍ଧା-ନୟାଗଡ଼ ୫୭ ନମ୍ବର ଜାତୀୟ ରାଜପଥ ବରସାହି ଏବଂ ପୋଡ଼ାଡିହ ମଧ୍ୟରେ ରହିଥିବା ଏକ ପରିତ୍ୟକ୍ତ ଗୃହରେ ଶୁକ୍ରବାର ଭୋରୁ ଡକାୟତି ପାଇଁ ଯୋଜନା ଚାଲିଥିବା ବେଳେ ବାଘମାରୀ ପୋଲିସ ପହଞ୍ଚି ୩ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ୩ ଜଣ ଫେରାର ହୋଇଯାଇଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ବିଭୂତି ବେହେରା ଓରଫ ନନ୍ଦ, ପୋଡ଼ାଡିହର ପ୍ରଭାତ ସେଠୀ ଓରଫ ପ୍ରଭା ଏବଂ ପଙ୍ଗାରସିଂର ସ୍ବପ୍ନେଶ୍ୱର ଦାସ ଓରଫ ସ୍ବପ୍ନକୁମାର ଓରଫ ପପୁ। ବିଭୂତିଙ୍କ ନାମରେ ପୂର୍ବରୁ ବାଘମାରୀ ଥାନାରେ ଏକ ମାମଲା ରହିଥିବା ବେଳେ ପ୍ରଭାତଙ୍କ ବିରୋଧରେ ୪ଟି ଆପରାଧିକ ମାମଲା ରହିଛି। ଘଟଣାସ୍ଥଳରୁ ୨ଟି ଲୁହାରଡ୍‌, ଗୋଟିଏ ପ୍ୟାକେଟ ଲଙ୍କାଗୁଣ୍ଡା, ସିନ୍ଦୂର ପ୍ୟାକେଟ, ଦିଆସିଲି ପ୍ୟାକେଟ, କାଠଗୁଣ୍ଡ, ମୋବାଇଲ, ପ୍ଲାଷ୍ଟିକ ଛୁରି ଜବତ କରାଯାଇଛି ବୋଲି ଥାନାଧିକାରୀ ଅର୍ଚ୍ଚନା ମଲ୍ଲିକ କହିଛନ୍ତି। ଏସ୍‌ଆଇ ବ୍ରହ୍ମାନନ୍ଦ ସ୍ବାଇଁ, ଏଏସ୍‌ଆଇ ରଞ୍ଜିତ କୁମାର ନାୟକ, କନ୍‌ଷ୍ଟେବଳ ସନ୍ତୋଷ କୁମାର ବେହେରା, ହୃଷୀକେଶ ଦେହୁରୀ ଓ ହିମାନୀ ରାୟ ପ୍ରମୁଖ ଏହି ଚଢ଼ାଉରେ ସାମିଲ ହୋଇଥିଲେ।