କେସିଙ୍ଗା ପୋଲିସ ଦ୍ୱାରା ଡକାୟତ ଦଳ କାବୁ

କେସିଙ୍ଗା,୬ା୪(ଡି.ଏନ.ଏ.): ମଙ୍ଗଳବାର ରାତିରେ ସ୍ଥାନୀୟ ପୋଲିସ କେସିଙ୍ଗା ବ୍ଲକ ପରଲସିଙ୍ଗା ଗ୍ରାମ ପଞ୍ଚାୟତ ଅଧୀନ ପୋଡଖମ୍ବ ଗ୍ରାମ ନିକଟରୁ ଏକ ଡକାୟତ ଦଳକୁ କାବୁ କରିଛନ୍ତି। ସେମାନଙ୍କ ନିକଟରୁ ଲୁଟ ହୋଇଥିବା ୧୭ଲକ୍ଷ ୫୦ ହଜାର ଟଙ୍କା, କାର ଓ ମୋବାଇଲ ଜବତ ହୋଇଛି। ଏହି ଡକାୟତ ଦଳ ଫୁଲବାଣୀରେ ଡକାୟତି କରି କେସିଙ୍ଗା ଦେଇ ଟ୍ରେନ ଯୋଗେ ଫେରାର ହେବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ ହାତରେ ଧରା ପଡିଥିଲେ।
ପ୍ରକାଶ ଯେ, ଫୁଲବାଣୀର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଅଜୟ ପାତ୍ରଙ୍କ ମୁନ୍‌ସୀ ନିକଟରେ ୧୭ ଲକ୍ଷ ୫୦ ହଜାର ଟଙ୍କା ନେଇ ବ୍ୟାଙ୍କରେ ଜମା କରିବାକୁ ଯିବା ସମୟରେ ଦୁଇ ଜଣ ଡକାୟତ ଏକ କଳା ପଲ୍‌ସରରେ ଆସି ଟଙ୍କା ବ୍ୟାଗ ଲୁଟି ନେଇ ଫେରାର ହୋଇ ଯାଇଥିଲେ। ଏ ନେଇ ବ୍ୟବସାୟୀ ପାତ୍ର ଫୁଲବାଣୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ବାଲିଗୁଡା ଏସ୍‌ଡିପିଓ ଓ କେସିଙ୍ଗା ଏସ୍‌ଡିପିଓଙ୍କ ଉଦ୍ୟମରେ ୪ଟି ଟିମ୍‌ ଗଠନ କରାଯାଇଥିଲା। କେସିଙ୍ଗା ପୋଲିସ କୌଣସି ସୂତ୍ରରୁ ଖବରପାଇ କାରରେ ଯାଉଥିବା ଏହି ଡକାୟତ ଦଳକୁ କାବୁ କରିଥିଲେ ା ୬ ଜଣିଆ ଏହି ଦଳରେ ମହିଳା ମଧ୍ୟ ରହିଛନ୍ତି। ସେମାନଙ୍କ ଘର ଗଞ୍ଜାମ ଜିଲା ଆସିକା ଥାନା ଅଞ୍ଚଳରେ। ଗିରଫ ଡକାୟତଙ୍କ ମଧ୍ୟରେ ଏମ୍‌.ସରସ୍ବତୀ, ଏମ୍‌.ପାଣ୍ଡୁ, ଏମ୍‌.ଲିଲି,ଏମ୍‌.ଶ୍ରୀକାନ୍ତ ରହିଛନ୍ତି। ୬ ଡକାୟତଙ୍କୁ ବୁଧବାର ଫୁଲବାଣୀକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି।