ବୋଲେରୋରେ ଲିଫ୍ଟ ଦେବାକୁ କହି ଡକାୟତି, ୨ ଯୁବକ ଗିରଫ

କଟକ,୯ା୩(କାର୍ତ୍ତିକ ସାହୁ): ବାରିପଦାରେ ପହଞ୍ଚାଇବାକୁ କହି ରାତିରେ ବୋଲେରୋରେ ଲିଫ୍ଟ ଦେବା ବାହାନାରେ ଡକାୟତି କରିଥିବା ୨ ଯୁବକ ପୋଲିସ ହାତରେ ଧରାପଡ଼ିଛନ୍ତି। ସେମାନଙ୍କ ନିକଟରୁ ଏକ ବୋଲେରୋ (ଓଡି-୦୨-ସିଜେ-୪୪୦୬), ୧ଟି ଭଙ୍ଗା ସୁନା ଚେନ୍‌, ୧ଟି ସୁନା ମୁଦି, ୪ଟି ମୋବାଇଲ ଫୋନ୍‌, ୧ଟି ଲୁହାରଡ଼ ଓ ନଗଦ ୩୮୦୦ ଟଙ୍କା ଜବତ କରାଯାଇଛି। ଅଭିଯୁକ୍ତ ଦ୍ୱୟ ହେଲେ ଚୌଦ୍ୱାର ଥାନା ଅନ୍ତର୍ଗତ ଚଷାପଡ଼ା ଗଉସନଗରର ମଙ୍ଗୁ ଓରଫ ମଙ୍ଗରାଜ ସ୍ବାଇଁ(୩୦) ଓ ଜଗତପୁର ଡେଲଟା କଲୋନୀରେ ରହୁଥିବା ସାଲେପୁର ଥାନା ମାଳଶାସନର ସଞ୍ଜୁ ଓରଫ ସଞ୍ଜୟ କୁମାର ଲେଙ୍କା(୩୦)। ଏନେଇ ଚାଉଳିଆଗଞ୍ଜ ଥାନାରେ କେସ୍‌ ନଂ-୬୪/୨୦୨୪ ରୁଜୁ ହେବା ସହ ପୋଲିସ ଉଭୟଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି।
ସୂଚନା ଅନୁସାରେ, ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମଡୁମା ହାଉସିଂ ବୋର୍ଡ କଲୋନୀର ସୁବ୍ରତ କୁମାର ମିଶ୍ର ଗତ ଫେବୃଆରୀ ୨୩ ତାରିଖ ରାତିରେ ବାରିପଦା ଯିବା ପାଇଁ କଟକ ଓଏମ୍‌ପି ଛକରେ ବସ୍‌କୁ ଅପେକ୍ଷା କରିଥିଲେ। ପୋଲିସ ଜବତ କରିଥିବା ବୋଲେରୋରେ ଅଭିଯୁକ୍ତ ମଙ୍ଗୁ ଆସି ତାଙ୍କୁ ବାରିପଦାରେ ଛାଡ଼ିଦେବାକୁ କହିଥିଲେ। ସେ ବୋଲେରୋରେ ବସି ବାରିପଦା ଅଭିମୁଖେ ଯିବା ବେଳେ ମଙ୍ଗୁ ଜଗତପୁର ଡେଲଟା କଲୋନୀ ନିକଟରେ ତାଙ୍କ ସାଙ୍ଗ ସଞ୍ଜୁଙ୍କୁ ସେଥିରେ ଉଠାଇଲେ। ମଙ୍ଗୁଳି ଛକର ଏକ ହୋଟେଲରେ ଅଭିଯୁକ୍ତଦ୍ୱୟ ଅଭିଯୋଗକାରୀଙ୍କୁ ମଦ ଓ ରାତ୍ରିଭୋଜନ ଖୁଆଇଲେ। ତା’ପରେ ସେମାନେ ଅଭିଯୋଗକାରୀ ସୁବ୍ରତଙ୍କୁ ଡମଡମଣିର ଏକ ନିଛାଟିଆ ସ୍ଥାନକୁ ବୋଲେରୋରେ ବସାଇ ନେଇଗଲେ। ସୁବ୍ରତଙ୍କଠାରୁ ଡକାୟତି କରିବାର ଉଦ୍ଦେଶ୍ୟ ରଖି ସେମାନେ ଏପରି କରୁଥିବା ଜାଣିବା ପରେ ସେ ଦୁହିଁଙ୍କୁ ବିରୋଧ କଲେ। ଏହାପରେ ଦୁଇ ଅଭିଯୁକ୍ତ ଲୁହାରଡ଼ ଦ୍ୱାରା ତାଙ୍କୁ ବାଡ଼େଇ ଜୀବନରୁ ମାରିଦେବାକୁ ଧମକ ଦେଲେ। ସେମାନେ ବଳପୂର୍ବକ ତାଙ୍କ ନିକଟରୁ ୧ଟି ସୁନା ଚେନ୍‌, ୧ଟି ସୁନା ମୁଦି, ୨ଟି ଫୋନ୍‌ ଓ ନଗଦ ଟଙ୍କା ଛଡ଼ାଇ ନେଲେ। ଏନେଇ ସୁବ୍ରତ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଥିଲେ। ପୋଲିସ ମାମଲାର ତଦନ୍ତ କରି ଡକାୟତି ହୋଇଥିବା ସାମଗ୍ରୀଗୁଡ଼ିକୁ ଜବତ କରିବା ସହ ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତ ମଙ୍ଗୁଙ୍କ ନାମରେ ଜଗତପୁର ଥାନାରେ ୧ଟି ମାମଲା ଓ ସଞ୍ଜୁଙ୍କ ନାମରେ ସାଲେପୁର ଥାନାରେ ୨ଟି ମାମଲା ଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି।