ଷ୍ଟେଟ ବ୍ୟାଙ୍କରେ ଡକାୟତି: ଲକର ଖୋଲି ନ ପାରି ଲୁଟିନେଲେ ୫ କଏନ ବସ୍ତା

ବସ୍ତା, ୧୯।୯(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ଥାନା ମୁକୁଳିସିସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଶନିବାର ରାତିରେ ଡକାୟତି ହୋଇଥିବା ଜଣାପଡିଛି। ରବିବାର ଛୁଟି ଥିବାରୁ ଏହା ଜଣାପଡି ନ ଥିଲା। ସୋମବାର ବ୍ୟାଙ୍କ କର୍ତ୍ତୃପକ୍ଷ ଆସିବା ପରେ ଘଟଣା ବିଷୟରେ ଜଣାପଡିଥିଲା। ଦୁର୍ବୃତ୍ତମାନେ ଲକର ଖୋଲି ନ ପାରି ପାଖରେ ଥିବା ୫ଟି କଏନ ବସ୍ତା ନେଇଯାଇଥିବା ଜଣାପଡିଛି। ଏହି ବସ୍ତାରେ ୫ଟଙ୍କିଆ ଏବଂ ୧୦ଟଙ୍କିଆ କଏନ ଥିଲା। ଏହାର ମୂଲ୍ୟ ପାଖାପାଖି ୧ ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ପୋଲିସ ସୂଚନା ଦେଇଛି।
ଶନିବାର ବ୍ୟାଙ୍କରୁ କାମ ସାରି କର୍ମଚାରୀମାନେ ଚାଲିଯିବା ପରେ ଦୁର୍ବୃତ୍ତମାନେ ପଛ ଗେଟ ଭାଙ୍ଗି ପଶିଥିଲେ। ସେମାନେ ପ୍ରଥମେ ସିସିଟିଭି ତାରକୁ କାଟି ଦେଇଥିବା ଫୁଟେଜରୁ ଜଣାପଡିଛି। ସୋମବାର ବ୍ୟାଙ୍କ ଖୋଲିବା କ୍ଷଣି ଏହା ଜଣାପଡିବା ପରେ ତୁରନ୍ତ ବସ୍ତା ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି। ତଦନ୍ତ ପରେ ଚୋରି ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିବ ବୋଲି ପୋଲିସ କହିଛି।