ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା ଅଞ୍ଚଳର ଗହଣା ବ୍ୟବସାୟୀ ତପନ ପରିଡ଼ା ଶନିବାର ମୋରଡ଼ା ଥାନା ଅଧୀନ ସାନମୁଣ୍ଢାବଣି ହାଟକୁ ଗହଣା ବିକ୍ରି ପାଇଁ ଆସିଥିଲେ। ହାଟ ସରିବା ପରେ କାର ଯୋଗେ ସେ ଘରକୁ ଫେରୁଥିଲେ। ତେବେ ଫେରିବା ସମୟରେ ମୋରଡା ଥାନା ଅଧୀନ ନୂଆଗାଁ ପୋଖରୀ ନିକଟରେ ଦୁଇଟି ବାଇକ୍ରେ ୪ ଜଣ ଦୁର୍ବୃତ୍ତ ତପନଙ୍କୁ ବନ୍ଧୁକ ଦେଖାଇ ଅଟକାଇ ଥିଲେ ଏବଂ ତାଙ୍କ ନିକଟରୁ ପାଞ୍ଚ କେଜି ରୁପା ଓ ୩୦ ଗ୍ରାମର ସୁନା ଗହଣା ଲୁଟ୍ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି। ତେବେ ଦୁର୍ବୃତ୍ତମାନେ ଗୋଟିଏ ବାଇକ୍ ଘଟଣାସ୍ଥଳରେ ଛାଡ଼ି ପଳାଇଥିବାର ଜଣାପଡ଼ିଛି।