ପୋଲିସ କବ୍‌ଜାରେ ୭ ଡକାୟତ

ସୋନପୁର,୧୪।୯(ନି.ପ୍ର.): ସୁବର୍ଣ୍ଣପୁର ଜିଲା ତରଭା ଥାନା ଅଇଁଳାପାଲି ଛକରେ ଗତ ଅଗଷ୍ଟ ୨୫ ତାରିଖରେ ଡକାୟତି ହୋଇଥିଲା। ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ନିକଟରୁ ଡକାୟତ ଦଳ ୧ଲକ୍ଷ ୮୨ହଜାର ୯୯୦ଟଙ୍କା ଲୁଟି ନେଇଥିଲେ। ଏହି ଘଟଣାରେ ତରଭା ପୋଲିସ ୭ଜଣଙ୍କୁ ଗିରଫ କରିଛି। ସେହିଭଳି ଘଟଣାରେ ସମ୍ପୃକ୍ତ ଥିବା ଜଣେ ନାବାଳକଙ୍କୁ ପୋଲିସ ଅଟକ ରଖି ପଚାରାଉଚରା କରୁଛି। ଗିରଫ ଅଭିଯୁକ୍ତମାନେ ହେଲେ ସୁବର୍ଣ୍ଣପୁର ଜିଲା ତରଭା ଥାନା ବୁରୋମୁଣ୍ଡା ଗ୍ରାମର ଶ୍ରୀରାମ ରଣା(୨୪), ସୀତାରାମ ରଣା(୨୧), ଦୁର୍ଜନ ରଣା(୨୦), ଅଶ୍ୱିନୀ ରଣା(୨୦), ଝିଲିମୁଣ୍ଡା ଗ୍ରାମର ଅର୍ଜୁନ ଷାଣ୍ଢ(୨୪), ଡଙ୍ଗରଯୋର ଗ୍ରାମର ଜିତେଶ କୁମ୍ଭାର(୨୨) ଓ ବଲାଙ୍ଗୀର ଜିଲା ପୁଇଁନ୍ତଳା ଥାନା ଡାହିମାଳ ଗ୍ରାମର ସୁଶିଲ ରଣା(୨୪) । ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ନଗଦ ୨୪ହଜାର ଟଙ୍କା, ୬ଟି ମୋବାଇଲ ଫୋନ, ଗୋଟିଏ ଟଙ୍କା ବ୍ୟାଗ, ଡାଏରୀ ଓ ଭାରତ ଫାଇନାନ୍ସ ଲିମିଟେଡ କମ୍ପାନୀର କିଛି କାଗଜପତ୍ର ଜବତ ହୋଇଛି। ଡକାୟତମାନେ ଡାଏରୀ ଓ ଟଙ୍କା ବ୍ୟାଗ୍‌କୁ ସ୍ଥାନୀୟ କୁଲତାଗୁଡା ଜଙ୍ଗଲରେ ଫିଙ୍ଗି ଦେଇଥିଲା ବେଳେ ପୋଲିସ ସେଗୁଡିକୁ ଜବତ କରିଥିବା ଏସ୍‌ପି ଅମରେଶ କୁମାର ପଣ୍ଡା ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେହିପରି ଅଟକ ନାବାଳକଙ୍କୁ ରାଉରକେଲାସ୍ଥିତ ବାଳ ସ୍ବଧାର ଗୃହକୁ ପଠାଯିବ।
ଗତ ଫେବୃୟାରୀ ୨୩ ତାରିଖରେ ସୁବଳୟା ଥାନା ଅଞ୍ଚଳରେ ଭାରତ ଫାଇନାନ୍ସ କମ୍ପାନୀର ୨ଜଣ କର୍ମଚାରୀଙ୍କ ନିକଟରୁ ୭୭ହଜାର ୨୩୬ଟଙ୍କା ଲୁଟ୍‌ ହୋଇଥିଲା। ଏଥିରେ ତରଭା ଡକାୟତି ଘଟଣାରେ ଗିରଫ ୪ଡକାୟତଙ୍କ ସମ୍ପୃକ୍ତି ଥିବା ତଦନ୍ତରୁ ଜଣା ପଡିଥିବା ଏସ୍‌ପି କହିଛନ୍ତି। ସୂଚନା ଅନୁଯାୟୀ ଗତ ଅଗଷ୍ଟ ୨୫ ତାରିଖରେ ଫାଇନାନ୍ସ କମ୍ପାନୀର କର୍ମଚାରୀ ତଥା ତରଭା ଥାନା ମନହିରା ଗ୍ରାମର ଶେଷଦେବ ସରଭଙ୍ଗ(୨୭) ନିଜର ସହଯୋଗୀ ନରୋତ୍ତମ ବିଶି ଓ ସୁବୋଧ କୁମ୍ଭାରଙ୍କ ସହ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ନିକଟରୁ ଟଙ୍କା ସଂଗ୍ରହ କରି ବିଲେଇବେର୍ଣ୍ଣା ଗ୍ରାମରୁ ଦୁଇଟି ବାଇକ୍‌ରେ ତୁଷୁରା ଅଭିମୁଖେ ଫେରୁଥିଲେ। ଅଇଁଳାପାଲି ଛକ ନିକଟରେ ଡକାୟତମାନେ ସେମାନଙ୍କ ନିକଟରୁ ଟଙ୍କା ଓ ସାମସଙ୍ଗ ଟାବଲେଟ ଲୁଟି ନେଇଥିବା ଶେଷଦେବ ଗତ ୨୬ ତାରିଖରେ ତରଭା ଥାନାରେ ଅଭିଯୋଗ କରିଥିଲେ। ତରଭା ଥାନାରେ ଏ ସମ୍ପର୍କରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିଲା। ଅନ୍ୟପକ୍ଷେ ଫାଇନାନ୍ସ କମ୍ପାନୀର କର୍ମଚାରୀମାନେ ନଗଦ ଟଙ୍କା ସଂଗ୍ରହ ନ କରି ଅନଲାଇନ ଟ୍ରାନ୍‌ଜାକସନ କରିବା ଓ ନଗଦ ଟଙ୍କା ନେଲା ବେଳେ ସ୍ଥାନୀୟ ପୋଲିସକୁ ସୂଚନା ଦେବାକୁ ଏସ୍‌ପି ପଣ୍ଡା ପରାମର୍ଶ ଦେଇଛନ୍ତି। ଏହି ଖବରଦାତା ସମ୍ମିଳନୀରେ ସୋନପୁର ଏସ୍‌ଡିପିଓ ପୁଷ୍ପାଞ୍ଜଳି ନିଙ୍ଗି, ତରଭା ଥାନା ଆଇଆଇସି ସୁବ୍ରତ ପାଣିଗ୍ରାହୀ ଉପସ୍ଥିତ ଥିଲେ।