ଭୁଜାଲି ଦେଖାଇ ୧୦ ଲକ୍ଷ ଟଙ୍କା ସହ ୧୦ ଭରି ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ବୌଦ୍ଧ,୫ା୬(ସ୍ବ.ପ୍ର.): ବୌଦ୍ଧ ଜିଲା ପୁରୁଣାକଟକ ଥାନା ଅଞ୍ଚଳରେ ଚୋରି ଡକାୟତି ଘଟଣା ଥମିବାର ନା ନେଉନାହିଁୟ। ଶନିବାର ରାତିରେ ଘରେ ପଶି ବୋମା, ଖଣ୍ଡା ଓ ଭୁଜାଲି ଦେଖାଇ ଘରୁ ଲୁଟିନେଇଛନ୍ତି ନଗଦ ୧୦ ଲକ୍ଷ ଟଙ୍କା ସହ ୧୦ ଭରି ସୁନା ଅଳଙ୍କାର। ପୁରୁଣାକଟକସ୍ଥିତ ମାଗିରାମ ବେହେରାଙ୍କ ଘରୁ ମାଡ଼ ମାରି ଏହି ଲୁଟ୍‌ ହୋଇଛି।
ସୂଚନା ଅନୁଯାୟୀ, ବୌଦ୍ଧ ଜିଲା ପୁରୁଣାକଟକ ଥାନା ମାଗିରାମ ବେହେରାଙ୍କ ଘରେ ଶନିବାର ମୁଖା ପିନ୍ଧି ୫ ରୁ ୭ ଜଣ ଡକାୟତ ଘର କବାଟ ଭାଙ୍ଗି ପଶିଥିଲେ। ମାଗିରାମଙ୍କୁ ଭୁଜାଲି, ଖଣ୍ଡା ଦେଖାଇବା ସହ ପ୍ରବଳ ମାଡ଼ ମାରି ନଗଦ ୧୦ ଲକ୍ଷ ଟଙ୍କା ସହ ୧୦ ଭରିରୁ ଊର୍ଦ୍ଧ୍ୱ ସୁନା ଅଳଙ୍କାର ଲୁଟିନେଇଛନ୍ତି। ପରେ ମାଗିରାମଙ୍କ ଘରେ ଭଡ଼ାରେ ରହୁଥିବା କନ୍ଧମାଳ ଜିଲା ଲାଇନପଡ଼ା ଅଞ୍ଚଳର ମନୋଜ ନାଏକଙ୍କ କବାଟ ଭାଙ୍ଗି ଘର ଭିତରେ ପଶି ମନୋଜଙ୍କୁ ପ୍ରବଳ ମାଡ଼ ମାରିବା ସହ ତାଙ୍କଠାରୁ ନଗଦ ୨୦ ହଜାର ଟଙ୍କା ଓ ୨ ଭରି ସୁନା ଅଳଙ୍କାର ନେଇ ଘର ବାହାରୁ କବାଟ ବନ୍ଦ କରିଦେଇଥିଲେ। ମାଗିରାମ ଓ ମନୋଜଙ୍କ ପାଟି ଶୁଣି ଗାଁ ଲୋକେ ଏକାଠି ହୋଇଥିଲେ ବି ସେମାନେ ବୋମା ଫୁଟାଇ ଦେବା ଧମକ ଦେଇ ଘଟଣାସ୍ଥଳରୁ ଖସି ଯିବାରେ ସମର୍ଥ ହୋଇଛନ୍ତି। ଖବର ପାଇ ପୁରୁଣାକଟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ପହଞ୍ଚିଲା ପରେ ଘଟଣା ସମ୍ପର୍କରେ ସୁରାକ୍‌ ମିଳିବ ବୋଲି ଅନୁମାନ କରାଯାଉଛି।