ଏମିତି ଲାଇବ୍ରେରୀ, ଯାହା ଆଗରୁ କେବେ ଦେଖି ନ ଥିବେ କି ଶୁଣି ନ ଥିବେ

ଇଟାନଗର,୨୭ା୯: ବିଶ୍ୱରେ ଅନେକ ଲାଇବ୍ରେରୀ ରହିଛି। ମାତ୍ର ଆଜି ଏମିତି ଏକ ଲାଇବ୍ରେରୀ ବିଷୟରେ କହିବୁ ଯାହା କେବେ ଆଗରୁ ଦେଖି ନ ଥିବେ କି ଶୁଣି ନ ଥିବେ। ଏହି ଲାଇବ୍ରେରୀର ନାମ ହେଉଛି ‘ଷ୍ଟ୍ରିଟ୍‌ ଲାଇବ୍ରେରୀ’।


ଅରୁଣାଚଳ ପ୍ରଦେଶରେ ଏପରି ଏକ ଲାଇବ୍ରେରୀ ଖୋଲାଯାଇଛି। ଏହାକୁ ମୀନା ଗୁରୁଙ୍ଗ ନାମକ ଜଣେ ଶିକ୍ଷୟିତ୍ରୀ ଛାତ୍ରୀଛାତ୍ରଙ୍କ ପାଇଁ ଆରମ୍ଭ କରିଛନ୍ତି। ମୀନା ଏବେ ଏକ ସରକାରୀ ସ୍କୁଲରେ ଶିକ୍ଷକତା କରୁଛନ୍ତି। ଏହି ଲାଇବ୍ରେରୀ ଆରମ୍ଭ ହେବା ଦିନରୁ ହିଁ ପାଠକଙ୍କ ପ୍ରତି ବେଶ୍‌ ସକାରାତ୍ମକ ପ୍ରଭାବ ପକାଇଛି। ମୀନା କୁହନ୍ତି, ବହି ପଢ଼ିବା ଦ୍ୱାରା ମାନସିକ ବିକାଶ ବୃଦ୍ଧି ହୋଇଥାଏ। ଏଥିସହିତ ବିଭିନ୍ନ ଭାଷା ବୁଝିବା ଏବଂ କହିବା ମଧ୍ୟ ସହଜ ହୋଇଥାଏ। ଲକ୍‌ଡାଉନ୍‌ ଯୋଗୁ ଲୋକେ ଅଧିକାଂଶ ସମୟ ସ୍ମାର୍ଟଫୋନରେ ବିତାଉଛନ୍ତି। ଏହା ଦ୍ୱାରା ନିଦ୍ରାହୀନତା ପରି ଅନେକ ରୋଗର ଶିକାର ହେଉଛନ୍ତି। ତେଣୁ ଏସବୁ ସମସ୍ୟା ଦୂର କରିବା ପାଇଁ ସେ ଏପରି ପଦକ୍ଷେପ ନେଇଛନ୍ତି।


ଏହି ଲାଇବ୍ରେରୀରେ ପ୍ରତ୍ୟେକ ବର୍ଗର ବ୍ୟକ୍ତିବିଶେଷ ପଢ଼ିପାରିବେ। ଉକ୍ତ ଲାଇବ୍ରେରୀରେ କୌଣସି ତାଲା ପଡ଼େ ନାହିଁ। ଯିଏ ଯେତେବେଳେ ଚାହିଁବ ବହି ପଢ଼ିପାରିବ। ମୀନା କୁହନ୍ତି, ତାଲା ନ ପଡ଼ି ମଧ୍ୟ ଗୋଟିଏ ବି ବହି ଚୋରି ହେଉନାହିଁ। ଯଦିଓ କେହି କେବେ ବହି ଚୋରି କରିନେବ ତେବେ ସେ ଏଥିରେ ବହୁତ ଖୁସି ହେବେ। କାରଣ ଜଣେ ବହି ପଢ଼ିବ ବୋଲି ଚୋରି କରି ନେଇଛି। ଯାହା ତାଙ୍କୁ ଅଧିକ ଖୁସି ଆଣିଦେବ।

ମୀନାଙ୍କୁ ଏପରି ଲାଇବ୍ରେରୀ କରିବାର ପ୍ରେରଣା ମିଜୋରାମର ‘ମିନି ଓ୍ବେ ସାଇଡ୍‌ ଲାଇବ୍ରେରୀ’ରୁ ମିଳିଥିଲା। ମୀନା ତାଙ୍କର ଜଣେ ବନ୍ଧୁ ଦିବାଙ୍ଗ ହୋସାଇଙ୍କ ସହ ମିଶି ଏପରି ଲାଇବ୍ରେରୀ କରିବା ପାଇଁ ମନସ୍ଥ କରିଥିଲେ। ମୀନାଙ୍କର ଏହି ଲାଇବ୍ରେରୀରେ ଅଧିକ ମହିଳା ଏବଂ ଟିନ୍‌ଏଜ୍‌ର ପିଲା ପଢୁଛନ୍ତି। ଲାଇବ୍ରେରୀରୁ ବହି ନେଇ ଲୋକେ ଖୋଲାସ୍ଥାନରେ ପଢ଼ୁଛନ୍ତି। ଧୀରେ ଧୀରେ ଲାଇବ୍ରେରୀଟି ଲୋକଙ୍କୁ ଆକର୍ଷିତ କରୁଛି। ବହି ଉଧାରରେ ନେଇ ପାଠକେ ପଢିସାରିବା ପରେ ପୁଣି ଆଣି ଫେରାଉଛନ୍ତି।

Share