
କର୍ଲାମୁଣ୍ଡା,୩ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପ୍ରାଥମିକ କୃଷି ସମବାୟ ସମିତିର ଧାନମଣ୍ଡି ଓ ସାର ଗୋଦାମକୁ ଯାଇଥିବା ରାସ୍ତାଟି ଅତି ଶୋଚନୀୟ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ସମବାୟ ସମିତିର ଏହି ଗୋଦାମଠାରୁ ଚାଷୀମାନେ ସାର, ବିହନ ଆଣିବାକୁ ହେଲେ ଉକ୍ତ ରାସ୍ତା ଦେଇ ଯିବା ଆସିବାକୁ ପଡୁଥିବା ବେଳେ ପ୍ରାୟ ୨୦୦ ମିଟର ମାଟି ରାସ୍ତା ହେଇଥିବାରୁ ସାମାନ୍ୟ ବର୍ଷା ହେଲେ ରାସ୍ତା କଦ୍ଦର୍ମାକ୍ତ ହୋଇପଡ଼େ। ଫଳରେ ଚାଷୀମାନେ ଗୋଦାମଠାରୁ ସାର ବିହନ ନେବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ଦୈନନ୍ଦିନ ଯାତାୟାତ ରାସ୍ତା ହୋଇଥିବାରୁ ଉକ୍ତ ରାସ୍ତାର ମରାମତି ଅତି ଆବଶ୍ୟକ ହୋଇପଡ଼ିଛି। ଅନ୍ୟ ପଟେ ଗୋଦାମ ଘରକୁ ସମବାୟ ସମିତିର ସାର ଓ ବିହନ ନିୟମିତ ଭାବେ ଏହି ରାସ୍ତାରେ ଯିବା ଆସିବା କରିବା ସହ ଚାଷୀମାନେ ଟ୍ରାକ୍ଟର ସାହାଯ୍ୟରେ ସାର ନେଉଥିବାରୁ ରାସ୍ତାଟି ମରଣଯନ୍ତା ପାଲଟୁଥିବାର ଅଭିଯୋଗ କରି ଗୁରୁବାରଠାରୁ ଉକ୍ତ ରାସ୍ତାକୁ ଗ୍ରାମବାସୀ ଅବରୋଧ କରିଥିବା ସମବାୟ ସମିତିର ସଭାପତି ଦେବରାଜ ରଣା କହିଛନ୍ତି। ଏ ନେଇ ପ୍ରଶାସନ ଏହି ରାସ୍ତାର ଉନ୍ନତିକରଣ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ରଣା ଅନୁରୋଧ କରିଛନ୍ତି।